Quantum Mirror

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କ ସୁବିଧା ପାଇଁ ୫-ଟି ଅଧିନରେ ୧୧ ପ୍ରକାର ସେବା ଅନ୍‌ଲାଇନରେ ମିଳିବ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କ ସୁବିଧା ପାଇଁ ୫-ଟି ଅଧିନରେ ୧୧ ପ୍ରକାର ସେବା ଅନ୍‌ଲାଇନରେ ମିଳିବ

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର୍ଯ୍ୟକ୍ରମରେ ଅନ୍‌ଲାଇନ ଜରିଆରେ ୧୧ ପ୍ରକାର ସେବା ଆଜି ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର । ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି । ତେଣୁ ଏହିସବୁ ଶିଳ୍ପ ଗୁଡିକର ପୂର୍ଣ୍ଣ କ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସାରା ବିଶ୍ବର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାବେଳେ ଆମର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ଅତ୍ୟନ୍ତ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସରକାର ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କର ସ୍ବଚ୍ଛ ନୀତି ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ବାରା ଆଜି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ଏବଂ କରୋନା ମହାମାରୀ ସତ୍ତ୍ବେ ଓଡିଶାରେ ଗତ ୧୦ ମାସ ମଧ୍ୟରେ ୧,୧୭,୦୦୦ କୋଟି ଟଙ୍କାର ପୁଞ୍ଜି ଆଣିବାରେ ଓଡିଶା ସଫଳ ହୋଇଛି। ଏହାଦ୍ବାରା ୫୩ ହଜାରରୁ ଅଧିକ ଯୁବକଯୁବତୀ ମାନଙ୍କ ପାଇଁ କର୍ମ ନିଯୁକ୍ତି ହୋଇପାରିଛି । କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗୀମାନେ ଯେପରି ସରକାରଙ୍କର ବିଭିନ୍ନ ଯୋଜନାର ସୁବିଧା ନେଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗକୁ ଧନ୍ୟବାଦ ଦେଇଥିଲେ ।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଅନୁଯାୟୀ କରୋନା ସମୟରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଏହି ବର୍ଗର ଶିଳ୍ପ ଗୁଡିକୁ ଚଳଚଞ୍ଚଳ କରିବା ଏବଂ ଶ୍ରମିକ ବର୍ଗଙ୍କ ରୋଜଗାରର ସୁବିଧା ପାଇଁ ପ୍ରତିଶୃତିବଦ୍ଧ ହୋଇ କାମ କରୁଛି । ଆଜିର ଅନ୍‌ଲାଇନ ସେବା ଗୁଡିକର ସୁଯୋଗ ନେବା ପାଇଁ ସେ ଶିଳ୍ପ ସଂସ୍ଥା ମାନଙ୍କୁ ଅନୁରୋଧ କରିଥିଲେ।
ଏହି ଅବସରରେ କଟକ ଜିଲ୍ଲାର ଶ୍ରୀ ସଂଜୟ ବିଶ୍ବାଳ, ଅନୁଗୁଳର ଶ୍ରୀମତୀ ଆଶାଲତା ପାଣି ଓ ଗଞ୍ଜାମର ଶ୍ରୀମତୀ ଇ. ସୁଜାତା ପ୍ରମୁଖ ଶିଳ୍ପଦ୍ୟୋଗୀ କରୋନା ସମୟରେ ସରକାରଙ୍କର ଆର୍ଥିକ ସହାୟତା କିପରି ସେମାନଙ୍କ ଶିଳ୍ପକୁ ପୁର୍ନଜୀବନ ଦେବା ସହିତ ଶ୍ରମିକ ମାନଙ୍କ ରୋଜଗାରର ସୁରକ୍ଷା ମଧ୍ୟ କରିପାରିଛି, ସେ ସଂପର୍କରେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶିଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଜିର ଅନ୍‌ଲାଇନ ସେବା ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ, ଖଦୀ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ ପାଇକରାୟ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

୫-ଟି ଅଧିନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ୧୧ଟି ଅନ୍‌ଲାଇନ ସେବା ଗୁଡିକ ହେଲା – (୧) ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପଞ୍ଜୀକରଣ ପ୍ରମାଣ ପତ୍ର, (୨) ମୂଲ୍ୟ ଚୁକ୍ତି ପ୍ରମାଣପତ୍ର, (୩) ପ୍ରୟୋଗଶାଳା ମାନ ପରୀକ୍ଷାର ବିବରଣୀ, (୪) ରପ୍ତାନୀ ପ୍ରୋତ୍ସାହନ ସହାୟତା, (୫) ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରମାଣ ପତ୍ର ନବୀକରଣ, (୬) ଯୋଗାଣ ପୂର୍ବ ଓ ଯୋଗାଣ ପର ନିରୀକ୍ଷଣ ସେବା, (୭) ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ ସୁପାରିଶ, (୮) ଓଡିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଦ୍ବାରା ଖଦୀ ଉଦ୍ୟୋଗ ମାନଙ୍କୁ ଦିଆଯାଉଥିବା ରିହାତି, (୯) ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ବାରା ବିଭିନ୍ନ ବିଭାଗ ମାନଙ୍କୁ ବ୍ୟବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ, (୧୦) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ଦିଆଯାଉଥିବା ବକେୟା ନ ଥିବା ପ୍ରମାଣପତ୍ର ଏବଂ (୧୧) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା one time settlement ବ୍ୟବସ୍ଥା ।
ଏହିସବୁ ସେବା ଗୁଡିକ odishamsme.nic.in ରେ ଉପଲବ୍ଧ ହେବ । ଉଦ୍ୟୋଗୀମାନେ ସରକାରୀ ଦପ୍ତରକୁ ନ ଆସି, ନିଜ ସୁବିଧା ଅନୁସାରେ ଅନ୍‌ଲାଇନରେ ବିଭିନ୍ନ ସରକାରୀ ସେବା ଓ ସୁଯୋଗ ଗୁଡିକର ଲାଭ ପାଇପାରିବେ । ସୂଚନାଯୋଗ୍ୟ ଯେ ପୂର୍ବରୁ ବିଭାଗର ୧୨ଟି ଗୁରୁତ୍ବପୂର୍ଣ୍ଣ ସେବା ଅନ୍‌ଲାଇନ ଜରିଆରେ ମିଳିପାରୁଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×