Quantum Mirror

ବାଘ ପାଇଁ ବି କେନ୍ଦ୍ରର ଅବହେଳା

ବାଘ ପାଇଁ ବି କେନ୍ଦ୍ରର ଅବହେଳା

ଭୁବନେଶ୍ୱର: ସାତେକାଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ଝଟକା । ବାଘ ଫେରସ୍ତ ନିଷ୍ପତ୍ତି ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅନୁଦାନ ହ୍ରାସ ନିଷ୍ପତ୍ତି ପଦାରେ ପକାଇଛି କେନ୍ଦ୍ରୀୟ ଅବେହଳା ପ୍ରସଙ୍ଗ । ଚଳିତ ବର୍ଷ ବରାଦ ହୋଇଥିବା ଅନୁଦାନର ୭୦ ପ୍ରତିଶତ କମ୍ ଦେବ ବୋଲି ରାଜ୍ୟ ସରକାରଙ୍କୁ ଏନଟିସିଏ ଅବଗତ କରିଛି । ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ଏପରି ନ ହେଲେ, ପ୍ରଭାବିତ ହୋଇପାରେ କର୍ମଚାରୀଙ୍କ ଦରମା ।

୨୦୧୯ ମସିହା ଡିସେମ୍ବରରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଉପରେ ରୋକ ଲଗାଇ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇବାକୁ ନିଷ୍ପତ୍ତି ନେଇଥିଲା ଏନଟିସିଏ । ଏହାର ୯ ମାସ ପରେ ବ୍ୟାଘ୍ର ପ୍ରକଳ୍ପ ଅନୁଦାନ କାଟ୍ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ମାସରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏନଟିସିଏକୁ ୧୬ କୋଟିର ଅନୁଦାନ ମାଗିଥିଲା ବନ ବିଭାଗ । ହେଲେ ମଞ୍ଜୁର ହୋଇଛି ମାତ୍ର ୩.୬୦ କୋଟି ଟଙ୍କା । ଏପରିକି ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର ଦାଖଲର ନିର୍ଦ୍ଦେଶ ଦିଆଯାଇଛି । ଯାହା ପ୍ରଭାବିତ କରିବ ବ୍ୟାଘ୍ର ସୁରକ୍ଷା ଦାୟିତ୍ବରେ ଥିବା ୨୯୬ କର୍ମଚାରୀଙ୍କ ଦରମା । ଏନଟିସିଏ ଦେଇଥିବା ଅର୍ଥର ପରିମାଣ ଏତେ କମ୍ ଯେ ଅଧା ଦରମା ନ ହେଲେ କର୍ମଚାରୀଙ୍କ ଛଟେଇ ଯାଏ ବି କଥା ଯାଇ ପାରେ । ଏପରି ହେଲେ ନୟାଗଡ଼, କଟକ, ବୌଦ୍ଧ ଓ ଅନୁଗୁଳ ସାତକୋଶିଆ ବନ ରେଞ୍ଜରେ କାମ କରୁଥିବା ଅଧିକାଂଶ ଲୋକଙ୍କ ଘରେ ଚୁଲି ଜଳିବା କାଠିକର ହୋଇଯିବ ବୋଲି

ପିସିସିଏଫ୍, ଓ୍ବାଇଲଡଲାଇଫ୍ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଅନୁଦାନ କାଟକୁ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ଆଖ୍ୟା ଦେଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏହା ଦରମା ବ୍ୟତୀତ ଆହୁରି ଅନେକ ପ୍ରଭାବ ପକାଇବ ।

  • ଭିତ୍ତିଭୂମି: ବାଘ ରହିବା ପାଇଁ ଜଙ୍ଗଲର ପରିବେଶର ଉନ୍ନତିକରଣ ବାଧାପ୍ରାପ୍ତ ହେବ
  • ଓ୍ବାଚ୍ ଆଣ୍ଡ ଓ୍ବାର୍ଡ: ଶିକାରୀ ଓ ବନ୍ୟଜନ୍ତୁଙ୍କ ଗତିବିଧି ନୀରକ୍ଷଣ କରିବା ଉପକରଣର କିଣା ବନ୍ଦ ହୋଇପାରେ
  • ସଂକ୍ରମଣ ନିରୋଧ ଟିକାକରଣ: ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଗୃହପାଳିତ ପଶୁଙ୍କଠାରୁ ଯେପରି ବନ୍ୟଜନ୍ତୁଙ୍କୁ ସଂକ୍ରମଣ ନ ବ୍ୟାପେ, ତା ପାଇଁ ଟିକାକରଣ କରାଯାଇଥାଏ । ହେଲେ ଟିକାକରଣ ବନ୍ଦ କରିବାକୁ ବାଧ୍ୟ ହୋଇପାରେ ବନ ବିଭାଗ ।

ସୁନ୍ଦରୀକୁ ଫେରାଇବା ପରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ପୁଣି ବାହାର ରାଜ୍ୟରୁ ବାଘ ଆଣିବାକୁ ଯୋଜନା କରୁଥିଲେ । ହେଲେ ଅନୁଦାନ କାଟ ଯୋଗୁ ହୁଏତ ଆଗକୁ ସାତକୋଶିଆରେ ବ୍ୟାଘ୍ର ପ୍ରଜନନ ପ୍ରକଳ୍ପ ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×