Quantum Mirror

ମୂଳରୁ କରୋନା ଚେନକୁ ଭାଙ୍ଗିବାକୁ ପ୍ରଶାସନର ତିନି ସୂତ୍ର – ଟେଷ୍ଟିଂ, ଆଇସୋଲେସନ ଓ ମନିଟରିଂ

ମୂଳରୁ କରୋନା ଚେନକୁ ଭାଙ୍ଗିବାକୁ ପ୍ରଶାସନର ତିନି ସୂତ୍ର – ଟେଷ୍ଟିଂ, ଆଇସୋଲେସନ ଓ ମନିଟରିଂ

ରାଉରକେଲା, ୧୮ ମେ୨୦୨୧: ରାଉରକେଲା ମହାନଗର ଅଞ୍ଚଳରେ କରୋନା ସଂକ୍ରମଣ ଚେନକୁ ମୂଳରୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ବିଶେଷକରି ଚିକିତ୍ସା ସହିତ ଟେଷ୍ଟିଂ, ଆଇସୋଲେସନ ଏବଂ କମ୍ୟୁନିଟିସ୍ତରରେ ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟରେ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି), ୱାର୍ଡ କମିଟି ଏବଂ କୋଭିଡ୍ ମନିଟରଙ୍କ ଭଳି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

‘‘ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ଟେଷ୍ଟିଂ ଉପରେ ବିଶେଷ ଜୋର୍ ଦିଆଯାଉଛି। ଯେଉଁ ଅଞ୍ଚଳରୁ ଲୋକଙ୍କୁ ଭିତରେ ଅଧିକ ଲକ୍ଷଣ ଥିବାର ସୂଚନା ମିଳୁଛି ସେଠାରେ ଟେଷ୍ଟିଂ ସଂଖ୍ୟା ବଢ଼ାଯାଉଛି। ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳରେ ମଧ୍ୟ ବ୍ୟାପକ ଟେଷ୍ଟିଂ କରାଯାଉଛି। ଲୋକଙ୍କ ସୁବିଧା ପାଇଁ ସହରରେ ଭ୍ରାମ୍ୟମାଣ ଟେଷ୍ଟିଂ ସୁବିଧା ମଧ୍ୟ କରାଯାଇଛି। ଅଧିକ ସଂଖ୍ୟାରେ ଟେଷ୍ଟିଂ କରାଯିବା ଫଳରେ କରୋନା ସଂକ୍ରମଣର ମୂଳ ପାଖରେ ପହଞ୍ଚିବା ସହ ଆମେ ବିଭିନ୍ନ ସ୍ଥାନରେ ଏହି ଭୂତାଣୁକୁ ନିୟନ୍ତ୍ରଣ କରିପାରୁଛୁ’’, କହିଛନ୍ତି କମିଶନର।

ଯେଉଁ ବ୍ୟକ୍ତିମାନଙ୍କର କୋଭିଡ୍ ପଜିଟିଭ୍ ବାହାରୁଛି ସେମାନଙ୍କୁ ଡାକ୍ତରୀ ପରାମର୍ଶ ଦିଆଯାଉଛି। ହୋମ୍ ଆଇସୋଲେସନ ପାଇଁ ପରାମର୍ଶ ଦିଆଯିବା ବେଳେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତିଙ୍କ ଘରେ ସୁବିଧା ଅଛି କି ନାହିଁ। ମୁଖ୍ୟତଃ ଅଲଗା ପ୍ରକୋଷ୍ଠ ଏବଂ ପାଇଖାନା ଥିବା ଲୋକଙ୍କୁ ଘରେ ରହି ଚିକିତ୍ସା ହେବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକସ୍ଥଳେ କରୋନା ସଂକ୍ରମିତଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ ପାଇଁ ପଠାଯାଉଛି। ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଭିତରେ କାହାର କୌଣସି ଜଟିଳତା ଦେଖାଦେଲେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଚିକିତ୍ସା କରାଯାଉଛି।

ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କର ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ଲାଗି ସହରରେ ୨୫ଟି ରାପିଡ୍ ରେସପନ୍ସ ଟିମ୍ କାମ କରୁଛି। ତାସହିତ ଆଶା, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତିର ସଦସ୍ୟମାନଙ୍କୁ ନେଇ କୋଭିଡ୍ ମନିଟର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆରଆରଟି ଏବଂ କୋଭିଡ୍ ମନିଟର ଘରକୁ ଘର ଯାଇ ଲୋକଙ୍କ ଅବସ୍ଥା ଚିକିତ୍ସା କଥା ବୁଝୁଛନ୍ତି। ପ୍ରତିଦିନ ୬ରୁ ହଜାର ଘରକୁ ଯାଇ ସେମାନେ ସର୍ଭେ ନିରୀକ୍ଷଣ କାର୍ଯ୍ୟ କରୁଛନ୍ତି। ଏହିସବୁ ଟିମ୍ ଘରେ ଘରେ ଥିବା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି।

ରାଉରକେଲାରେ ଥିବା ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ତୃଣମୂଳ ସ୍ତରରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେଠାରେ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ନିଜ ଅଞ୍ଚଳର ହୋମ୍ ଆଇସୋଲେସନ ରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି। ଆବଶ୍ୟକସ୍ଥଳେ ସେମାନେ ଲୋକଙ୍କୁ ଘରକୁ ଯାଇ କିମ୍ବା ଫୋନ ଯୋଗେ ଚିକିତ୍ସା ସହାୟତା ଯୋଗାଉଛନ୍ତି। ଏହି ସ୍ୱାସ୍ଥ୍ୟ ଦଳକୁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ନିୟମିତ ଭାବେ ସୂଚନା ଦେଉଛନ୍ତି।

ୱାର୍ଡସ୍ତରରେ କୋଭିଡ୍ ସଂକ୍ରମଣକୁ ଜଗିବା ପାଇଁ ୱାର୍ଡ କମିଟି ଗଠନ କରାଯାଇଛି। ଏଥିରେ ସ୍ଥାନୀୟ ଆଶା ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଅନ୍ୟ ନାଗରିକ ରହିଛନ୍ତି। କୋଭିଡ୍ ସମ୍ପର୍କରେ ନିଜ ୱାର୍ଡର ସ୍ଥିତି ସହିତ ବାହାର ରାଜ୍ୟ ବା ସହରରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସେମାନେ ନଜର ରଖୁଛନ୍ତି।

 

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×