Quantum Mirror

ଲକ୍ଡାଉନ୍ ନିୟମ ମାନିବା, ସମଗ୍ର ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା: ସୁନ୍ଦରଗଡ଼ ଜିଲ୍ଲାପାଳ

ଲକ୍ଡାଉନ୍ ନିୟମ ମାନିବା, ସମଗ୍ର ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା: ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ଼, ୧୯ ମେ’ ୨୦୨୧: କୋଭିଡ୍ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେଣୁ ଏହି ସମୟରେ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବା ସହ ଲକ୍‌ଡାଉନ୍ ନିୟମ ମାନିବା ପାଇଁ ସୁନ୍ଦରଗଡ଼ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

“ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ବେଳେ ପ୍ରଶାସନ ପକ୍ଷରୁ ଦୁଇଟି କଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଧିକରୁ ଅଧିକ ଟେଷ୍ଟିଂ କରିବା ଏବଂ ପଜିଟିଭ୍ ରୋଗୀ ତଥା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧରେ ରଖିବା। ଏହା ଫଳରେ ଜିଲ୍ଲାରେ ଯେଉଁଠି ଅଧିକ ସଂକ୍ରମଣ ରହିଥିଲା, ସେଠାରେ ପଜିଟିଭ୍‌ଙ୍କ ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାର କୋଭିଡ୍ ହସ୍‌ପିଟାଲଗୁଡ଼ିକୁ ଆଗରୁ ଯେତିକି ଗୁରୁତର ରୋଗୀ ଆସୁଥିଲେ, ସେମାନଙ୍କ ସଂଖ୍ୟା ମଧ୍ୟ କମିଛି। ଫଳରେ ଏବେ ଆମ ହାତରେ ଆଇସିୟୁ, ଅକ୍ସିଜେନ୍ ବେଡ୍ ଏବଂ ସାଧାରଣ ବେଡ୍ ମହଜୁଦ୍ ରହିଛି। କରୋନାର ଚେନ୍‌କୁ ଭାଙ୍ଗିବା ଦିଗରେ ଏହା ଏକ ଭଲ ଲକ୍ଷଣ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସୁନ୍ଦରଗଡ଼ ଜିଲ୍ଲାବାସୀ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟରେ ଯେଭଳି ଭାବରେ ସହଯୋଗ କରିଛନ୍ତି, ସେଥିପାଇଁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟରେ ଜନସାଧାରଣ ସେହିଭଳି ଭାବେ କୋଭିଡ୍ ନିୟମ ପାଳନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍ ସମୟରେ ଏବେ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ତେବେ ନିହାତି ଆବଶ୍ୟକ ନଥିଲେ ବାହାରକୁ ନ ଆସିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସରକାର ଲକ୍‌ଡାଉନ୍ ସମୟରେ ବିଭିନ୍ନ ନିୟମ ଜାରି କରିଛନ୍ତି। ବିବାହ କାର୍ଯ୍ୟକ୍ରମ ବେଳେ ବର ଓ କନ୍ୟାପକ୍ଷ ତଥା ଅତିଥିଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଯୋଗ ଦେଇପାରିବେ। ସେହିପରି ଶୁଦ୍ଧିକ୍ରିୟା ପାଇଁ ଏହି ସଂଖ୍ୟା ୨୦ରେ ସୀମିତ ରଖାଯାଇଛି। ଏହି ସବୁ ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ବିଗତ ଦିନରେ ରାଉରକେଲା ମହାନଗର ନିଗମ ଅଞ୍ଚଳ ସହ ଜିଲ୍ଲାର କେତେକ ସ୍ଥାନରେ ଅଧିକ ସଂଖ୍ୟାରେ ପଜିଟିଭ୍ ବାହାରିଥିଲେ। କିନ୍ତୁ ପ୍ରଶାସନର ଲଗାତାର ବିଭିନ୍ନ କାର୍ଯ୍ୟକ୍ରମ ତଥା ଜନସାଧାରଣଙ୍କ ସହଯୋଗ ଫଳରେ ଏହି ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାରେ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ‘ବ୍ରେକ୍ ଦ ଚେନ୍‌’ ଅଭିଯାନ ଆରମ୍ଭ କରାଯାଇଛି।

ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମକୁ ସକ୍ରିୟ କରିଛନ୍ତି। ତେଣୁ ରାଉରକେଲାରେ ୧୮ରୁ ୪୪ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଗ ପାଇଁ ଟିକାକରଣ ଚାଲିଛି। “ଆମେ ଏହି ଭିତରେ ରାଉରକେଲାରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ାଇଛୁ। ଆମକୁ ଯେତିକି ଟିକା ମିଳୁଛି, ସେହି ଅନୁଯାୟୀ ଅଧିକରୁ ଅଧିକ ସ୍ଲଟ୍ ଖୋଲାଯାଉଛି। ସେହିପରି ଶଯ୍ୟାଶାୟୀ ବ୍ୟକ୍ତି, ରୋଗଗ୍ରସ୍ତ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରିବେ ନାହିଁ, ସେମାନଙ୍କ ଘରେ ପହଂଚି ଟିକା ଦେବା ପାଇଁ ଆମେ ‘ସଞ୍ଜୀବନୀ ରଥ’ ଆରମ୍ଭ କରିଛୁ”, ସୂଚନା ଦେଇ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

କୋଭିଡ୍ ସମ୍ପର୍କରେ ସୂଚନା କିମ୍ବା କୌଣସି ଚିକିତ୍ସା ସମ୍ପର୍କରେ ସହାୟତା ପାଇବା ପାଇଁ ୨୪ ଘଣ୍ଟିଆ ରାଉରକେଲା କୋଭିଡ୍ ହେଲ୍‌ପଲାଇନ୍ ୧୮୦୦ ୩୪୫ ୭୪୬୮ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍‌ପଲାଇନ୍ ୧୮୦୦ ୩୪୫ ୭୪୬୧/ ୦୧୧ – ୪୧୧୮୨୧୩୮ (ନିଃଶୁଳ୍କ) ନମ୍ବରରେ ଜନସାଧାରଣ କଲ୍ କରିପାରିବେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×