Quantum Mirror

ସାଂସଦ ଅନୁଭବ ମହାନ୍ତି ବାପାଙ୍କର ପେନସନ୍ ବନ୍ଦ କଲେ ରାଜ୍ୟ ସରକାର

ସାଂସଦ ଅନୁଭବ ମହାନ୍ତି ବାପାଙ୍କର ପେନସନ୍ ବନ୍ଦ କଲେ ରାଜ୍ୟ ସରକାର

ଭୁବନେଶ୍ୱର:  ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ଏଭଳି କେଳେଙ୍କାରୀ ସହ ସମ୍ପୃକ୍ତ ରହିଥିବା ଜଣାପଡ଼ିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ଜଣେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ । ସେ କନ୍ଦରପୁର କଲେଜରେ କାର୍ଯ୍ୟରତ ଥିଲେ । ତେବେ ଅଭିଯୋଗ ଅନୁସାରେ ଜାଲ୍ ବା ନକଲି ସାର୍ଟିଫିକେଟ୍ ଦେଇ ସିନିଅର୍ ଅଧ୍ୟାପକରୁ ରିଡର୍ ପାହ୍ୟାକୁ ସେ ପଦୋନ୍ନତି ପାଇଥିଲେ । ଯାହାକୁ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ଏଥିସହ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ପହିଲାରେ ଏନେଇ ଏକ ନିର୍ଦ୍ଦେଶମାନା ଜାରି ହୋଇଛି । ସେହି ଅନୁସାରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଗତ ଏପ୍ରିଲ୍ ୭ ତାରିଖରେ ଦିଆଯାଇଥିବା ରାୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ବିରୋଧରେ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଶ୍ରୀ ମହାନ୍ତି ରଡର୍ ପାହ୍ୟାର ପେନସନ୍ ସୁବିଧା ପାଇବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି ଓ ଏହା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ହେବା ଆବଶ୍ୟକ ବୋଲି କୋର୍ଟ କହିଥିଲେ । ହାଇକୋର୍ଟଙ୍କ ରାୟ ଅନୁସାରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ଦସ୍ତଖତ ସମ୍ବଳିତ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ମହାନ୍ତିଙ୍କୁ ୧୯୯୭ ଜାନୁଆରୀ ୨ରୁ ରିଡର୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଏନେଇ ୨୦୦୮ ମେ ୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ ରିଡର୍ ପାହ୍ୟାକୁ ପଦୋନ୍ନତି ପାଇଁ ଅତିକମ୍ରେ ୪ ସପ୍ତାହ ମଧ୍ୟରେ ୨ଟି ରିଫ୍ରେସର୍ କୋର୍ସ ପ୍ରଶିକ୍ଷଣ ଆବଶ୍ୟକ ରହିଥିବାବେଳେ ଶ୍ରୀ ମହାନ୍ତି ତକ୍ରାଳୀନ ଏକ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରିଥିଲେ । କିନ୍ତୁ ପରେ ବିଭାଗକୁ ଅଭିଯୋଗ ହୋଇଥିଲା ଯେ ଅଧ୍ୟାପକ ଶ୍ରୀ ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇଛନ୍ତି । ଏହି ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ୨୦୦୯ ମାର୍ଚ୍ଚ ୨୭ରେ ଶ୍ରୀ ମହାନ୍ତିଙ୍କ ପଦୋନ୍ନତି ଜନିତ ସମସ୍ତ ବକେୟା ସ୍ଥଗିତ ରଖିବା ସହ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ଉପନିର୍ଦ୍ଦେଶକ ୨୦୦୯ ଅଗଷ୍ଟ ୨୯ରେ ତଦନ୍ତ ରିପୋର୍ଟ ଦେଇଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ ଶ୍ରୀ ମହାନ୍ତି ଦେଇଥିବା ସାର୍ଟିଫିକେଟ୍ ଜାଲ୍ । ଉଲ୍ଲେଖଯୋଗ୍ୟ  ଯେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଏକ ରିଫ୍ରେସର କୋର୍ସ ସାର୍ଟିଫିକେଟ୍ ଶ୍ରୀ ମହାନ୍ତି ଦାଖଳ କରିଥିବାବେଳେ ତଦନ୍ତରେ ତାହା ନକଲି ବୋଲି ଜଣାପଡ଼ିଥିଲା । ସେହି ନିର୍ଦ୍ଦିଷ୍ଟ ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି କୋର୍ସ ସେପରି ହୋଇନଥିଲା ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×