ଜିଡିପିରେ ହ୍ରାସ ଦେଶର ଅର୍ଥନୀତି ପାଇଁ ସତର୍କଘଣ୍ଟି : ରଘୁରାମ ରାଜନ୍
ଜିଡିପିରେ ହ୍ରାସ ଦେଶର ଅର୍ଥନୀତି ପାଇଁ ସତର୍କଘଣ୍ଟି : ରଘୁରାମ ରାଜନ୍
ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷର ଜୁନ୍ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ୨୩.୯% ହ୍ରାସ ଦେଶର ଅର୍ଥନୀତି ପାଇଁ ଏକ ସତର୍କଘଣ୍ଟି । ତେବେ ବର୍ତ୍ତମାନ ସମୟ ହେଉଛି ଅମଲାତନ୍ତ୍ର ଦ୍ବାରା ଏକ ଫଳପ୍ରଦ ପଦକ୍ଷେପ ନେବାର ସମୟ ବୋଲି ଚେତାଇ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ।
ବର୍ତ୍ତମାନ ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟର ପରିଚାଳନା ଲାଗି ଏକ ଚିନ୍ତାଶୀଳ ଏବଂ ସକ୍ରିୟ ସରକାରର ଆବଶ୍ୟକତା ରହିଛି । ଜିଡିପି ଅଭିବୃଦ୍ଧିରେ ଏଭଳି ବୃହତ୍ ହ୍ରାସ ଏବେ ସମସ୍ତଙ୍କ ପାଇଁ ଏକ ସତର୍କଘଣ୍ଟି । ଏହି ସମୟରେ କୋଭିଡରେ ବିଶ୍ବରେ ସର୍ବାଧିକ ପ୍ରଭାବିତ ଇଟାଲୀର ଜିଡିପି ଅଭିବୃଦ୍ଧିରେ ୧୨.୪% ଏବଂ ଆମେରିକାର ୯.୫% ହ୍ରାସ ଘଟିଥିବାବେଳେ ଭାରତର ୨୩.୯% ହ୍ରାସ ଘଟିଥିବା ରାଜନ୍ ତାଙ୍କର ଲିଙ୍କଡିନ୍ ପେଜ୍ରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନର ସରକାର କରୋନା ପ୍ରଭାବିତ କ୍ଷେତ୍ରଗୁଡିକୁ ବର୍ତ୍ତମାନ ସମୟରେ ଅଧିକ ଆର୍ଥିକ ସହାୟତା ଦେବା ଅପେକ୍ଷା ସେହି ପାଣ୍ଠିକୁ ଭବିଷ୍ୟତରେ ପ୍ରୋତ୍ସାହନ ରାଶି ଆକାରରେ ଦେବାକୁ ସଞ୍ଚୟ କରୁଥିବା ସେ ଅଭିଯୋଗ କରିଛନ୍ତି । ସରକାରଙ୍କର ଏହା ଏକ ରକ୍ଷଣାତ୍ମକ ନୀତି ବୋଲି ସେ ଅଭିହିତ କରିଛନ୍ତି । ରାଜନ୍ଙ୍କ ମତରେ ଜଣେ ରୋଗୀକୁ ବେଡ୍ରେ ଚିକିତ୍ସା ହେବା ସମୟରେ ବା ସେ ସହ ଲଢ଼ୁଥିବାବେଳେ ସବୁ ସୁବିଧା ଦିଆଯାଇଥାଏ, ପରେ ନୁହେଁ ବୋଲି ରାଜନ୍ କହିଛନ୍ତି