ଘରୋଇ ସହାୟକରୁ ମନ୍ତ୍ରୀ

କଲକାତା : ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ବିଜେପି ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଛି। ସୋମବାର ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳରେ ୩୫ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ସାମିଲ ହୋଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି କଲିତା ମାଝୀ। କାଲିଟା ରାଜ୍ୟ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୩୭ ବର୍ଷୀୟା କଲିତା ପୂର୍ବ ବର୍ଦ୍ଧମାନ ଜିଲାର ‘ଆଉସଗ୍ରାମ’ ସଂରକ୍ଷିତ ବିଧାନସଭା ଆସନରୁ ସେ ଭାରତୀୟ ଜନତା ପାର୍ଟି ଟିକଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେବେ କଲିତାଙ୍କ ସଂଘର୍ଷମୟ ଜୀବନ ଏବେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ସେ ଜଣେ ଘରୋଇ ସହାୟକରୁ ଆଜି ମନ୍ତ୍ରୀ ହୋଇଛନ୍ତି। ଅନ୍ୟ ଘରେ ବାସନ ମାଜିବା ଏବଂ କପଡ଼ା ଧୋଇବା ଭଳି କାମ କରୁଥିଲେ, ଯେଉଁଥିରୁ ତାଙ୍କୁ ମାସିକ ମାତ୍ର ୨,୫୦୦ ରୁ ୪,୫୦୦ ଟଙ୍କା ମିଳୁଥିଲା। ତାଙ୍କ ସ୍ୱାମୀ ଜଣେ ପାଣି ପାଇପ ମିସ୍ତ୍ରି ଭାବେ କାମ କରନ୍ତି। କଲିତା ଗତ ୧୦ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ରାଜନୀତିରେ ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ ଏବଂ ଘର କାମ କରିବା ସହିତ ଦଳର ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ବିଜେପି ତାଙ୍କୁ ୨୦୨୧ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ କରିଥିଲା, କିନ୍ତୁ ସେତେବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଦଳ ତାଙ୍କ ଉପରେ ପୁଣି ଭରସା ରଖି ୨୦୨୬ରେ ଟିକଟ୍ ଦେଇଥିଲା ଏବଂ ସେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲେ। ମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ କଲିତା କହିଛନ୍ତି, ‘ମୁଁ କେବେ ଭାବି ନଥିଲି ମୋ ଜୀବନ ଏଭଳି ବଦଳିଯିବ। ମୁଁ ଦଳ ନିକଟରେ କୃତଜ୍ଞ।’ ସେ କହିଛନ୍ତି ଯେ ନିଜେ ଗରିବୀ ଦେଖିଥିବାରୁ ପଛୁଆ ବର୍ଗର ଲୋକଙ୍କ ସମସ୍ୟା ଭଲଭାବେ ଜାଣିଛନ୍ତି। ତେଣୁ ତାକୁ ସମାଧାନ ପାଇଁ ଚେଷ୍ଟା କରିବି। ସୋମବାର ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳରେ ୧୩ଜଣ କ୍ୟାବିନେଟ୍ ମନ୍ତ୍ରୀ, ୩ଜଣ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୧୯ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନୂଆ ମନ୍ତ୍ରୀମାନଙ୍କୁ ମିଶାଇ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୪୧ରେ ପହଞ୍ଚିଛି।

Comments (0)
Add Comment