ଆଇପିଏଲ ୨୦୨୦: ଖେଳିବେନି ମାଲିଙ୍ଗା

ଆଇପିଏଲ ୨୦୨୦: ଖେଳିବେନି ମାଲିଙ୍ଗା

ଆବୁଧାବି ୦୩ ।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଫ୍ରାଞ୍ଚାଇଜି ଦଳ ମୁମ୍ବାଇ ଇଣ୍ଡିଆନ୍ସର ବରିଷ୍ଠ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ଚଳିତ ବର୍ଷ ସଂସ୍କରଣରେ ନଜର ଆସିବେ ନାହିଁ। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ପ୍ରତିଷ୍ଠିତ ଏହି ଟି-୨୦ ଲିଗ୍‌ରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ମାଲିଙ୍ଗାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ପାଟିସନଙ୍କୁ ଦଳରେ ସାମିଲ କରିଥିବା ଘୋଷଣା କରିଛି।

ଶ୍ରୀଲଙ୍କାର ଅନୁଭବୀ ଦ୍ରୁତ ବୋଲର ମାଲିଙ୍ଗାଙ୍କ ବିଷୟରେ ଦଳ କହିଛି, ସେ ବ୍ୟକ୍ତିଗତ କାରଣରୁ ଚଳିତ ୧୩ତମ ସଂସ୍କରଣରେ ଉପଲବ୍ଧ ହେବେ ନାହିଁ। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଖେଳି ପାରିବେ ନାହିଁ ବୋଲି ଅନୁରୋଧ କରିଥିଲେ ଏବଂ ଶ୍ରୀଲଙ୍କାରେ ନିଜ ପରିବାରକୁ ସମୟ ଦେବାକୁ ଚାହାନ୍ତି।

ଟିମ୍ ମାଲିକ ଆକାଶ ଅମ୍ବାନୀ ପାଟିନସନଙ୍କ ସ୍ଵାଗତ କରିବା ସହିତ ମାଲିଙ୍ଗାଙ୍କୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ପାଟିସନ ଆମ ସହିତ ଫିଟ୍ ହେବା ପାଇଁ ଉପଯୁକ୍ତ ଖେଳାଳି ଏବଂ ଆମର ଦ୍ରୁତ ବୋଲର ବାହିନୀକୁ ଅଧିକ ମଜବୁତ କରିବେ। ଚଳିତ ସପ୍ତାହ ଶେଷ ସୁଦ୍ଧା ପାଟିସନ ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେବେ।