ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ

ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଅଧିକ ଘନୀଭୂତ ହେବା ସହ ପଶ୍ଚିମକୁ ଗତି କରିବ । ଏହାର ପ୍ରଭାବରେ ଆଜିଠାରୁ ପୁଣି ବର୍ଷାର ପରିମାଣ ବଢିବ । ୧୯ ଓ ୨୦ରେ ପ୍ରବଳ ବର୍ଷିବ । ବିଶେଷକରି ଉତ୍ତର ଓଡିଶାରେ ଅଧିକ ବର୍ଷା ହେବ ।

ଗତ ୫ ଦିନ ଭିତରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରି, ଯାଜପୁର, ସୁବର୍ଣ୍ଣପୁର, ବୌଦ୍ଧ, ଭଦ୍ରକ, ଦେବଗଡ଼, କେନ୍ଦ୍ରାପଡା, ବରଗଡ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ଜନଜୀବନକୁ ନାକେଦମ୍‌ କରିଛି । ମାଲକାନଗିରି ସ୍ଥିତି ସବୁଠୁ ସଙ୍ଗୀନ କରିଛି ଲଘୁଚାପ ବର୍ଷା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌ ଖୋଲାଯାଇଛି । ଜଳକା ନଦୀ ଫୁଲୁଛି। ଲଗାଣ ବର୍ଷାରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ର ଘୁଙ୍ଗୁଟୁପାଲିରେ ଗୋଟିଏ ପୁରୁଣା କଚ୍ଚା ଘର ଭାଙ୍ଗିବାରୁ ୨ଜଣ ଆହତ ହୋଇଥିଲେ । ଏଥିରୁ ଜଣକର ମୃତ୍ୟୁ ହୋଇଛି ।

ଲଘୁଚାପ ପ୍ରଭାବରେ ୧୦ ଜିଲ୍ଲାରେ ଲଗାଣ ବର୍ଷା ହୋଇଛି । ତଳି ଇଲାକାରେ ପାଣି ପଶିଥିବାବେଳେ କେତେକ ସ୍ଥାନରେ ଚାଷ ଜମି ଜଳମଗ୍ନ ହୋଇଛି । ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୋମବାର ୧୦ ଜିଲ୍ଲାପାଳଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତୁରନ୍ତ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।