‘ତୁମ କ୍ରିକେଟ ଖେଳକୁ ସମସ୍ତେ ମନେରଖିବେ। ଭାରତୀୟ ସେନା ପାଇଁ ତୁମ ଭୂମିକା ଗୁରୁତ୍ୱପୂର୍ଣ୍ଣ’, ମାହିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବବିହ୍ୱଳ ବାର୍ତ୍ତା

‘ତୁମ କ୍ରିକେଟ ଖେଳକୁ ସମସ୍ତେ ମନେରଖିବେ। ଭାରତୀୟ ସେନା ପାଇଁ ତୁମ ଭୂମିକା ଗୁରୁତ୍ୱପୂର୍ଣ୍ଣ’, ମାହିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବବିହ୍ୱଳ ବାର୍ତ୍ତା

ଭାରତକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି । ସେ ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀଙ୍କ ଅବସର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତ୍ରଲେଖି ମାହିଙ୍କ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ।

ମହେନ୍ଦ୍ର ସିଂ ଧୋନୀ ମଧ୍ୟ ମୋଦୀଙ୍କୁ ଟ୍ୱିଟରରେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଧୋନୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଜଣେ କଳାକାର, ସୈନିକ ଓ ଖେଳାଳିଙ୍କୁ ପ୍ରଂଶସା କରାଯାଏ । କିନ୍ତୁ ସେମାନଙ୍କର ପରିଶ୍ରମ ଓ ବଳୀଦାନୁ ସମସ୍ତେ ଚିହ୍ନିବା ଆବଶ୍ୟକ । ଏହାସହ ସେ ପତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି  ।

ମୋଦୀ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ଆପଣଙ୍କଠାରେ ନୂଆ ଭାରତର ଆତ୍ମା ପ୍ରତିଫଳିତ ହେଉଛି । ଆପଣଙ୍କଠାରେ ଯୁବକଙ୍କ ଭାଗ୍ୟ ଓ ପରିଚୟ ସେମାନଙ୍କ ପରିବାର ନିର୍ଣ୍ଣୟ କରିନଥାଏ । ବରଂ ଏହି ଯୁବକମାନେ ନିଜେ ନିଜର ପରିଚୟ ହାସଲ କରିଥାନ୍ତି । ଧୋନୀଙ୍କ ଅବସର ପରେ ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି । ଧୋନୀ ଜଣେ ମହାନ ଖେଳାଳି ଓ ଅଧିନାୟକ । ଇତିହାସରେ ତାଙ୍କ ନାମ ଲିପିବଦ୍ଧ ହୋଇରହିବ । ସେ ଜଣେ ଭଲ ଓ୍ୱିକେଟ କିପର୍ । ସେ ଦଳ ପାଇଁ ଅନେକ କିଛି ତ୍ୟାଗ କରିଛନ୍ତି । ଧୋନୀଙ୍କ ଖେଳକୁ ସମସ୍ତେ ମନେ ରଖିବେ । ସେନାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ମୋଦୀ ଆହୁରି ଲେଖିଛନ୍ତି ଯେ, ଧୋନୀଙ୍କ ଖେଳୁଆଡ ମନୋଭାବ ସତରେ ବିରଳ । ଏକ ଛୋଟ ସହରରୁ ସେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି । ଭାରତ ପାଇଁ ଗର୍ବ ଆଣିଛନ୍ତି । ଏପରିକି ହେୟାର ଷ୍ଟାଇଲରେ ଯାହା ପରିବର୍ତ୍ତନ କରିଥିଲେ ସର୍ବଦା ଥଣ୍ଡା ମିଜାଜରେ ଖେଳିଛନ୍ତି । ଏହାସହ ଧୋନୀ ଅବସର ପରେ ସାକ୍ଷୀ ଓ ଜୀଭାଙ୍କ ସହ ଅଧିକ ସମୟ ବିତାଇବେ ବୋଲି ମୋଦୀ ପତ୍ରରେ ଉଲ୍ଲେଖ କରିଛନ୍ତି ।