ବଡଦାଣ୍ଡରେ ଗଡିଲା ବଡଠାକୁରଙ୍କ ରଥ

ବଡଦାଣ୍ଡରେ ଗଡିଲା ବଡଠାକୁରଙ୍କ ରଥ

ପୁରୀ, ଜୁଲାଇ ୧୨: ମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସମୟଠାରୁ ତିନିଘଣ୍ଟା ପୂର୍ବରୁ ବଡଦାଣ୍ଡରେ ବଡଠାକୁରଙ୍କ ରଥ ଗଡିଥିବା ଜଣାପଡିଛି । ପ୍ରଥମେ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ମା ସୁଭଦ୍ରାଙ୍କ ଦେବଦଳନ ରଥ ଟଣାଯାଇଥିଲା। ପରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରୁ ଶରଧା ବାଲି ଅଭିମୁଖେ ଯାତ୍ରା କରିଛି । ସେବାୟତମାନେ ରଥକୁ ଟାଣି ମାଉସିମା ମନ୍ଦିର ନିକଟରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଚଳିତ ବର୍ଷ ଟଣା ହୋଇଛି ରଥ । କରୋନା କଟକଣାକୁ ମାନି ରଥଯାତ୍ରାର ସମସ୍ତ ନୀତି ସମ୍ପନ୍ନ ହୋଇଛି ।

ଅନ୍ୟପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାୟତ, ଜନସାଧାରଣ, ପ୍ରଶାସନ ଓ ପୋଲିସକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲ ପ୍ରଶାସନକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ରଥଯାତ୍ରାରେ କୋଭିଡ ନିୟମ ପାଳନ କରିଥିବାରୁ ପୁରୀବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ନବୀନ । ସେ କହିଛନ୍ତି ଯେ, ‘ପୁରୀବାସୀ ଯେଭଳି ଶୃଙ୍ଖଳା ଦେଖାଇଛନ୍ତି ତାହା ପ୍ରେରଣାଦାୟକ ।’