ବିଲ୍ଡରଙ୍କୁ ଉଠାଇନେଲେ ମିଛ ସ୍ପେଶାଲବ୍ରାଞ୍ଚ ଅଫିସର

ବିଲ୍ଡରଙ୍କୁ ଉଠାଇନେଲେ ମିଛ ସ୍ପେଶାଲବ୍ରାଞ୍ଚ ଅଫିସର

ନିଜକୁ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ କହି ଦୁର୍ବୃତ୍ତମାନେ ଜଣେ ବିଲଡରଙ୍କୁ ଉଠାଇନେଇଥିଲେ । ପରେ ତାଙ୍କୁ ମୁଣ୍ଡ ଜାମିନ ରଖି ୫୦ଲକ୍ଷ ଟଙ୍କା ବଟି ମାଗିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବାଲିଅନ୍ତା ଜଗନ୍ନାଥପୁରର ନରେନ୍ଦ୍ର ପ୍ରଧାନ(୫୦) ଓ କଟକ ସଦର ଥାନା ଅନ୍ତର୍ଗତ ରାହୁର ଗାଁର ମାନସ ରଞ୍ଜନ ପ୍ରଧାନ(୩୩) । ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପିନାକୀ ମହାନ୍ତି ସମେତ ଆଉ ୨ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି ।
ସୂଚନା ଅନୁଯାୟୀ, ବାଲିଅନ୍ତା ଅଞ୍ଚଳର ସଂଗ୍ରାମ ଜେନା(୩୩) ନାମକ ଜଣେ ବ୍ୟକ୍ତି ଏୟାରଫିଲ୍ଡ କଲ୍ୟାଣୀ ପ୍ଲାଜାରେ ରୁହନ୍ତି । ସେ ଜଣେ ବିଲ୍ଡର ହୋଇଥିବା ବେଳେ ତାଙ୍କର ଏକ ପ୍ରୋଜେକ୍ଟ ବାଲିଅନ୍ତା ଅଞ୍ଚଳରେ ଚାଲୁଛି । ଗତ ୧୩ ତାରିଖ ସକାଳ ସାଢ଼େ ୧୦ଟା ବେଳେ ସଂଗ୍ରାମ କାର୍ ଯୋଗେ ତାଙ୍କ ଅଫିସ ଯାଉଥିଲେ । ସେ ଯିବା ବେଳେ ସ୍କାଏ ଟାୱାର ଆପାର୍ଟମେଣ୍ଟ ସାମ୍ନାରେ ତାଙ୍କୁ ଗୋଟିଏ ବୋଲେରୋ ଗାଡ଼ି ଅଟକାଇଥିଲା । ହଠାତ୍ ଗାଡ଼ି ଭିତରୁ ୪ଜଣ ଯୁବକ ଆସି ତାଙ୍କୁ ଭିତରକୁ ନେଇଯାଇଥିଲେ । ସଂଗ୍ରାମ କୁଆଡ଼େ ନେଉଛ ବୋଲି ପଚାରିବାରୁ ସେମାନେ କହିଥିଲେ, ଆମେ ସ୍ପେଶାଲ ବ୍ରାଞ୍ଚରୁ ଆସିଛୁ । ତୁମକୁ ଖଣ୍ଡଗିରି ଥାନା ଯିବାକୁ ପଡ଼ିବ । ଏମିତି କହି ସେମାନେ ସଂଗ୍ରାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତ୍ରିଶୁଳିଆ ବ୍ରିଜ ନିକଟକୁ ନେଇଯାଇଥିଲେ । ଏହାପରେ ସେମାନେ ସଂଗ୍ରାମଙ୍କୁ କହିଥିଲେ, ପିନାକୀ ମହାନ୍ତି ଆମକୁ ଦାଦାବଟି ଆଦାୟ କରିବାକୁ ତୋ ପାଖକୁ ପଠାଇଛି । ତୁ ୫୦ଲକ୍ଷ ଦେ, ଆମେ ତତେ ଛାଡ଼ିଦେବୁ । ନଚେତ୍ ତତେ ଏଇଠି ମାରିଦେବୁ । ଏହି ସମୟରେ ସେହି ରାସ୍ତା ଦେଇ ଅଟୋରେ କେତେକ ଲୋକ ଯାଉଥିଲେ । ସେହି ଲୋକମାନଙ୍କୁ ସଂଗ୍ରାମ ଚିଲାଇ ଡାକିବାରୁ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ ।
ଏନେଇ ସଂଗ୍ରାମ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରିବାରୁ ଜାଣିବାକୁ ପାଇଲା ଯେ, ପିନାକୀ ମହାନ୍ତି ବାଲିଅନ୍ତା ଅଞ୍ଚଳରେ ଦାଦାବଟି ଆଦାୟ କରେ । ତା’ ନାଁରେ ଗତ ମାର୍ଚ୍ଚ ମାସ ୪ତାରିଖରେ ଏକ କେସ୍ ରୁଜୁ ହୋଇଛି । ପୂର୍ବରୁ ପିନାକୀ ଏବଂ ନରେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୪ଜଣ ସହଯୋଗୀଙ୍କ ସହ ମିଶି ସଂଗ୍ରାମଙ୍କୁ ଅପହରଣ କରି ନେଇ ଦାଦାବଟି ମାଗିଥିଲେ । ତେବେ ସଂଗ୍ରାମଙ୍କ କାର୍‌ର ପୁରୁଣା ଡ୍ରାଇଭର ଏସବୁ ସୂଚନା ପିନାକୀଙ୍କୁ ଦେଉଥିବା ସେ ସନ୍ଦେହ କରିଛନ୍ତି । ଯେଉଁଥିପାଇଁ ପିନାକୀ ବାରମ୍ବାର ଅଫିସ ସମୟରେ ଅପହରଣ କରି ଦାଦାବଟି ମାଗୁଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ବାଲିଅନ୍ତା ଅଞ୍ଚଳରେ ଅପହରଣରେ ସମ୍ପୃକ୍ତ ଥିବା ୨ଜଣ ଅଭିଯୁକ୍ତ ଲୁଟି ରହିଥିବା ପୁଲିସ ଜାଣିବାକୁ ପାଇଥିଲା । ଏନେଇ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ଉ କରି ଅଭିଯୁକ୍ତ ନରେନ୍ଦ୍ର ଓ ମାନସକୁ ବାଲିଅନ୍ତା ଅଞ୍ଚଳର ଏକ ଘରୁ ଗିରଫ କରିବାରେ ସଫଳ ହୋଇଛି ।