ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜି ଅପରାହ୍ଣରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜି ଅପରାହ୍ଣରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଯୁକ୍ତଦୁଇ ପରୀକ୍ଷା ବାତିଲ୍ ହୋଇନାହିଁ । ତେବେ ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତିରେ ରହିଥିବାରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ନିଜର ନିଷ୍ପତ୍ତି ଶୁଣାଇ ନାହାନ୍ତି । ବିଗତ ଦିନମାନଙ୍କରେ ସିବିଏସଇ ଯେଉଁ ନିଷ୍ପତ୍ତି ନେଇଥିଲା, ରାଜ୍ୟ ସେସବୁକୁ ଅନୁସରଣ କରିଥିବାର ଦେଖାଯାଇଥିଲା । ଯୁକ୍ତ ଦୁଇ ପରୀକ୍ଷା ନିଷ୍ପତ୍ତି ନେଇ ଆଜି ଅପରାହ୍ଣରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ସିବିଏସଇର ନିଷ୍ପତ୍ତି ପରେ ରାଜ୍ୟର ଉଚ୍ଚସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଯଦି ଯୁକ୍ତ ଦୁଇ ପରୀକ୍ଷା ବାତିଲ୍ କରାଯାଏ, ତେବେ ବିକଳ୍ପ ମୂଲ୍ୟାୟନ ପଦ୍ଧତି କ’ଣ ହେବ, ସେନେଇ ବିଚାରବିମର୍ଶ କରାଯାଇଥିଲା । ତେବେ ମୂଲ୍ୟାୟନ ନେଇ ସିବିଏସଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନଥିବାରୁ ତାହା ଗଣଶିକ୍ଷା ବିଭାଗକୁ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପକାଇଛି । ଆଜି ପୂର୍ବାହ୍ନରେ ଗଣଶିକ୍ଷା ବିଭାଗର ଅଧିକାରୀ ଓ ସିବିଏସଇ ଅଧ୍ୟକ୍ଷଙ୍କ ଆଲୋଚନା ପରେ ଅପରାହ୍ନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ଗଣଶିକ୍ଷା ସଚିବ, ସିଏଚଏସଇର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି ।