ନିଦ ଭାଙ୍ଗିଲା: ଟ୍ୱିନସିଟିରେ କଡ଼ା ହେଲା କୋଭିଡ୍ କଟକଣା

ନିଦ ଭାଙ୍ଗିଲା: ଟ୍ୱିନସିଟିରେ କଡ଼ା ହେଲା କୋଭିଡ୍ କଟକଣା

ଭୁୁବନେଶ୍ୱର: କରୋନା ସଂକ୍ରମଣର ଶୀର୍ଷରେ ଥିବା ଭୁବନେଶ୍ୱର ଓ କଟକ ସହରରେ ଢ଼ିଲା କୋଭିଡ୍ କଟକଣା ନିୟମକୁ ପୁଣି କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କୋଭିଡ୍ ସ୍ଥିତିର ସମୀକ୍ଷା କଲାବେଳେ ଟ୍ୱିନସିଟିରେ କୋଭିଡ୍ ନିୟମ ପାଳନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ପୁଲିସର ନିଦ ଭାଙ୍ଗିଛି । ଡିଜି ଶ୍ରୀ ଅଭୟ କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କୋଭିଡ୍ କଟକଣା କଡ଼ାକଡ଼ି ପାଳନ ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ।

ଭୁବନେଶ୍ୱର ଓ କଟକ ସହରର ବିଭିନ୍ନ ମାର୍କେଟ୍ ଏବଂ ହଟସ୍ପଟ୍ ଅଞ୍ଚଳ ଏବେ ପୁଲିସର ଫୋକସ୍ ରେ ରହିବ । ୫୦ ଅଫିସର ଏବଂ ୫ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀକୁ ବିଭିନ୍ନ ଜାଗାରେ ମୁତୟନ କରାଯିବ । ଏଥିସହ ବିଭିନ୍ନ ଥାନାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଅମାନିଆଙ୍କ ଉପରେ କଡ଼ା ନଜର ରଖିବେ । ଭୁବନେଶ୍ୱରକୁ ତିନୋଟି ଜୋନ୍ ରେ ବିଭକ୍ତ କରାଯାଇ ପୁଲିସକୁ ଦାୟିତ୍ୱ ବଣ୍ଟନ କରାଯାଇଛି ।

ଯେଉଁଠି ସାମାଜିକ ଦୂରତା କଟକଣା ଭାଙ୍ଗୁଥିବ ପୁଲିସ ସେହି ଦୋକାନକୁ ଅବିଳମ୍ବେ ସିଲ୍ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାଘାଟରେ ବିନା କାରଣରେ ବୁଲୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ସହ ଆବଶ୍ୟକ ହେଲେ ଗିରଫ କରାଯିବ । କୌଣସି ଜାଗାରେ ଭିଡ଼ ନ କରିବା ଏବଂ ସମସ୍ତେ ମୁହଁରେ ଭଲଭାବେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଥିଲାଗି ଜନସଚେତନା ଅଭିଯାନକୁ ବ୍ୟାପକ କରାଯିବ ବୋଲି ସ୍ଥିର ହୋଇଛି ।

ପୁଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଆଜିଠାରୁ ଏହା କାର୍ଯ୍ୟକାରୀ କରାଯାଇଛି । ଆଜି ସଂଧ୍ୟାରେ ଭୁବନେଶ୍ୱର ଓ କଟକର କିଛି ଜନଗହଳି ଦୋକାନ ଉପରେ ପୁଲିସ ଅତର୍କିତ ଚଢ଼ାଉ କରି ସେଗୁଡ଼ିକୁ ସିଲ୍ କରିଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡି ଚାଲିଥିବା ବେଳେ କମିଶନରେଟ୍ ପୁଲିସ ନିଜ ଦାୟିତ୍ୱରେ ଢ଼ିଲା ମାରିଥିଲା । କୋଭିଡ୍ କଟକଣା ମାନିବାର ଆବଶ୍ୟକତା ଜରୁରୀ ହେବା ବେଳକୁ ପୁଲିସର ଢ଼ିଲାପଣ ଯୋଗୁଁ ଅମାନିଆଙ୍କ ଉତ୍ପାତ ବଢ଼ିଯାଇଥିଲା । ରାସ୍ତାଘାଟ, ଦୋକାନବଜାରରେ ଅମାନିଆଙ୍କ ଅଯଥା ଗହଳି ଯୋଗୁଁ ସଂକ୍ରମଣ ଉପରେ ରୋକ୍ ନ ଥିଲା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ କମିଶନରଙ୍କ ନିଦ ଭାଙ୍ଗିଛି ।