ବାତ୍ୟା ପରେ ପୋଲ ତଳ ସୁଡ଼ଙ୍ଗରୁ ୨୦୦ ବସ୍ତିବାସିନ୍ଦା ଉଦ୍ଧାର

ବାତ୍ୟା ପରେ ପୋଲ ତଳ ସୁଡ଼ଙ୍ଗରୁ ୨୦୦ ବସ୍ତିବାସିନ୍ଦା ଉଦ୍ଧାର

ପାରାଦୀପ: ନିଜ ବ୍ୟବସ୍ଥାରେ ବାତ୍ୟା ଆସିବା ପୂର୍ବରୁ ଅଠରବାଙ୍କି ପୋଲର ଅନ୍ଧାରୁଆ ଟନେଲ୍‌ ଭିତରେ ପଶି ଯାଇଥିଲେ ପାରାଦୀପ ଲକ୍‌ପଡ଼ା ବସ୍ତିର ପାଖାପାଖି ୨୦୦ରୁ ଊଦ୍ଧ୍ୱର୍ ଲୋକ। ଆଜି ସକାଳେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ଶ୍ରମିକ ନେତା ବାପି ସର୍ଖେଲ । ପଛେ ପଛେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗି ଯାଇଥିଲା । ମଙ୍ଗଳବାର ରାତି ତମାମ୍‌ ସେମାନେ ସେହି ସୁଡ଼ଙ୍ଗରେ ଆଶ୍ରୟ ନେଇଥିଲେ । ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ବାତ୍ୟା ମୁକାବିଲା ନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ଏବଂ ପୁଲିସ ରାତି ସାରା ପାରାଦୀପରେ ପଇଁତରା ମାରିଥିଲେ ସୁଦ୍ଧା ଏତେ ଲୋକ ଟନେଲ୍‌ ଭିତରକୁ ପଶିବା ଖବର କାହା କାନରେ ପଡ଼ି ନଥିଲା। ବୁଧବାର ସକାଳୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇଛି। ପୁଲିସ ପହଞ୍ଚି ସମସ୍ତଙ୍କୁ ଉକ୍ତ ବିପଦ୍‌ଜନକ ଟନେଲ୍‌ ଭିତରୁ ଉଦ୍ଧାର କରିଥିଲା । ଉକ୍ତ ପୋଲର ନିର୍ମାଣ ଶୈଳୀ ଏଭଳି ଯେ, ପୋଲ ତଳେ ସୁଡ଼ଙ୍ଗ ଭଳି ଖାଲି ସ୍ଥାନ ରହିଛି । କିନ୍ତୁ ଏହି ଟନେଲ୍‌ ବା ସୁଡ଼ଙ୍ଗକୁ ମାତ୍ର ଗୋଟିଏ ଗଳା ବାଟ ରହିଛି । ଏହାଛଡ଼ା ତାହା ଭିତରକୁ ପବନ ଯିବା ମୁସ୍କିଲ୍‌ । ଆଲୋକର ବ୍ୟବସ୍ଥା ମଧ୍ୟ ନାହିଁ । ତଥାପି ଲୋକମାନେ ଜୀବନ ବିକଳରେ ଏହି ସୁଡ଼ଙ୍ଗ ଭିତରେ ପିଲାଛୁଆ ଧରି ମୁଣ୍ଡ ଗୁଞ୍ଜିଥିଲେ ।