ବାହାଘର ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ବାହାଘର ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ବୌଦ୍ଧ: ବାହାଘର ଭାଙ୍ଗି ଯିବାରୁ ଦେହରେ କିରୋସିନୀ ଢାଲି ଆତ୍ମହତ୍ୟା କଲେ ଯୁବତୀ । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା କୁଲତାଜୋର ଗାଁରେ । ମୃତ ଯୁବତୀ ହେଉଛନ୍ତି ଛବିଲ ଭୋଇଙ୍କ ୨୨ ବର୍ଷୀୟ ଝିଅ ପଂଚମୀ ଭୋଇ । ଗତକାଲି ରାତି ତିନି ଟାରେ ପଂଚମୀ ଦେହରେ କିରୋସିନୀ ଢାଲି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୋନପୁର ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା । ଆଜି ସକାଲୁ ଯୁବତୀଙ୍କୁ ବଲାଙ୍ଗିର ହସପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ବାହାଘର ଭାଙ୍ଗି ଯିବାରୁ ଝିଅ ଏଭଳି ପଦକ୍ଷେପ ନେଇଥିବା କହୁଛନ୍ତି ମୃତ ପଂଚମୀଙ୍କ ବାପା । ଗତ ବର୍ଷ ଘାଟୁଲ ଗାଁର କୁନା ଧରୁଆ ନାମକ ଜଣେ ଯୁବକ ପଂଚମୀକୁ ବାହା ହେବା ପାଇଁ ପରିବାର ସହ ପ୍ରସ୍ତାବ ନେଇ ଆସିଥିଲା । କିନ୍ତୁ କୌଣସି କାରଣରୁ ଉଭୟ ପରିବାର ଭିତରେ ସହମତି ହୋଇ ପାରିଲା ନାହିଁ । ଗତ କିଛି ଦିନ ତଲେ ଗିଦମାଲ ଗାଁର ଜଣେ ଯୁବକ ବାହାଘର ପ୍ରସ୍ତାବ ନେଇ ପଂଚମୀ ଘରକୁ ଆସିଥିଲା । ଉଭୟ ପରିବାର ଭିତରେ ସହମତୀ ମଧ୍ୟ ହୋଇଥିଲା । କିନ୍ତୁ ଗତବର୍ଷ ପଂଚମୀକୁ ବାହା ହେବା ପାଇଁ ଚାହୁଁଥିବା ଘାଟୁଲ ଗାଁର କୁନା ଧରୁଆ ଗିଦମାଲ ଗାଁର ଯୁବକକୁ ଫୋନ କରି ପଂଚମୀକୁ ବାହା ନହେବା ପାଇଁ ଧମକ ଚମକ ଦେଲା । ଯାହା ଫଳରେ ବାହାଘର ଭାଙ୍ଗିଗଲା । ବାରମ୍ୱାର ଉକ୍ତ ଯୁବକ ବାହାଘର ଭାଙ୍ଗୁଥିବାରୁ ମାନସୀକ ଚିନ୍ତାରେ ପଂଚମୀ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଛବିଲ ଅଭିଯୋଗ କରିଛନ୍ତି । ଅନ୍ୟପଟେ କଣ୍ଟାମାଲ ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇନଥିବା ଜଣା ପଡିଛି l