ଅଫିସ୍ ସିଲ୍ ପରେ ରାସ୍ତାକଡ଼ରେ ଅପରାଜିତାଙ୍କ ଜନଶୁଣାଣି, ବିଜେଡି ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଅଫିସ୍ ସିଲ୍ ପରେ ରାସ୍ତାକଡ଼ରେ ଅପରାଜିତାଙ୍କ ଜନଶୁଣାଣି, ବିଜେଡି ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ରାସ୍ତାକଡ଼ରେ ଭୁବନେଶ୍ବର ସାଂସଦଙ୍କ ଜନଶୁଣାଣି ଶିବିର । ଅଫିସ ସିଲ୍ ହେବା ପରେ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରାସ୍ତାକଡ଼ରେ ଜନ ଶୁଣାଣି ଶିବିର କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

” ଅଫିସ ସିଲ୍ ହେଲେ ବି ବିକାଶ କାର୍ଯ୍ୟ ଚାଲୁରହିବ । ଏବଂ ରାସ୍ତାକଡ଼ରେ ବସି ଲୋକଙ୍କ ପାଇଁ କାମ କରିବେ” ବୋଲି ସେ କହିଛନ୍ତି ।

ବିଜେଡି ନେତା କୋଭିଡ ନିୟମ ଉଲ୍ଲଘଂନ କରିବା କଥା ପୁଣିଥରେ ଉଠାଇଛନ୍ତି ଅପରାଜିତା । ବିଜେଡି ନେତା କୋଭିଡ ନିୟମ ଭାଙ୍ଗିଥିବା ନେଇ ଫଟୋ ଓ ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ କରି ସରକାର ଆକ୍ସାନ ଟେକନ ରିପୋର୍ଟ ରାଜ୍ୟବାସୀଙ୍କୁ ଜଣାନ୍ତୁ । ପୁଣି ସେ ୧୫ ଦିନ ପରେ ଏହି ପ୍ରସଙ୍ଗରେ ପ୍ରେସମିଟ୍ କରିବେ ବୋଲି କହିଛନ୍ତି ।

ଅଫିସ ସିଲ୍ ଥିବାରୁ ଏଣିକି ସେ ବିଜେପି ପାର୍ଟି ଅଫିସ, ସିଲ୍ ହୋଇଥିବା ଅଫିସ ଓ ତାଙ୍କ ନୟାପଲ୍ଲୀ ବାସଭବନରେ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି । ଏଥିସହ ସମସ୍ତ ଲୋକଙ୍କୁ କୋଭିଡ ନିମୟ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଶନିବାର ଦିନ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ ସାଂସଦ ଅପରାଜିତାଙ୍କ ଅଫିସ ସିଲ୍ କରିଛି ବିଏମସି । ଅପରାଜିତାଙ୍କ ପଳାସପଲ୍ଲୀରେ ଥିବା ଅଫିସକୁ ବିଏମସି ୧୫ ଦିନ ପାଇଁ ସିଲ୍ କରାଯାଇଛି । ଅଫିସ ସିଲ୍ ହେବା ପରେ ଅପରାଜିତା ପ୍ରେସମିଟ୍ କରି ବିଜେଡି ଉପରେ ବର୍ଷିଥିଲେ । ଆକ୍ରୋଶମୂଳକ ଭାବେ ଏପରି କରାଯାଉଥିବା ସେ ଅଭିଯୋଗ କରିଥିଲେ । ଏବଂ ବିଜେଡି ନେତାମାନେ କିପରି କୋଭିଡ ନିୟମ ଉଲ୍ଲଘଂନ କରୁଛନ୍ତି, ତାହାର ପ୍ରମାଣ ଦେଇ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ଦେଖାଇ ପ୍ରଶ୍ନ କରିଥିଲେ କେବେ ବିଜେଡି ଅଫିସ ସିଲ୍ ହେବ ।

କୋଭିଡ ନିୟମ ନ ମାନି ଗତ ୮ ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶତାଧିକ ଲୋକଙ୍କ ଗହଳରେ ଜନ୍ମଦିନ ପାଳନ କରିଥିଲେ । ସାଂସଦଙ୍କ ସମେତ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ନିୟମକୁ ବି ପାଳନ କରିନଥିବା ନେଇ ଅଭିଯୋଗ ହୋଇଥିଲା ।