‘ଗରିମା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଗରିମା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ।  ସେପ୍‌ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଏହାଦ୍ବାରା ଉପକୃତ ହେବେ । ଏଥିପାଇଁ ପ୍ରାଥମିକ ଅବସ୍ଥାରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ଏବଂ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ ଲକ୍ଷ ପରିବାର ସଦସ୍ୟ ଉପକାର ପାଇବେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ପରିମଳ କର୍ମଚାରୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗରିମା  ଯୋଜନା ସଂପର୍କିତ ଏକ ଭିଡିଓ ଓ ଲୋଗୋ ଉନ୍ମୋଚନ କରିଥିଲେ । ‘ଗରିମା’ ଯୋଜନାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ଏବଂ ଅହମ୍ମଦାବାଦର Urban Management Centre ମଧ୍ୟରେ ବୈଷୟିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।  ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍‌ ସ୍ବାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।