ଭାଇଗିରି ମହଙ୍ଗା ପଡିଲା, ଜିପ ଟେକିନେଲା ପୋଲିସ : ୧୦ ଗିରଫ

ଭାଇଗିରି ମହଙ୍ଗା ପଡିଲା, ଜିପ ଟେକିନେଲା ପୋଲିସ : ୧୦ ଗିରଫ

ଭୁବନେଶ୍ୱର : ଭାଇଗିରି ସୀମା ଟପିବାରୁ କଠୋର ଆଭିମୁଖ୍ୟ ଆପଣେଇଛି କମିସନରେଟ ପୋଲିସ । ଏୟାରଫିଲଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ବର୍ଷେତଳେ ଘଟିଥିବା ଅମରେଶ ନାଏକ ହତ୍ୟାକାଣ୍ଡ ଘଟଣାର କେତେକ ଅଭିଯୁକ୍ତଙ୍କୁ ଜାମିନ ମିଳିବାପରେ ବେଆଇନ ପଟୁଆରରେ ସେମାନଙ୍କୁ ତାଙ୍କ ସମର୍ଥକମାନେ ପାଛୋଟି ନେବା ଘଟଣାରେ ଦଶ ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସ୍ଥାନୀୟ ଝାରପଡା ଜେଲରୁ ଏହି ହତ୍ୟା ଅଭିଯୁକ୍ତମାନଙ୍କୁ ସେମାନଙ୍କର ବହୁ ସଂଖ୍ୟାରେ ସହଯୋଗୀ ଓ ସମର୍ଥକ ଗତ ଗୁରୁବାର ସୁସଜ୍ଜିତ ଗାଡ଼ିରେ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟିନେବା ସହ ଚାରୋଟି ଥାନା ଅଞ୍ଚଳଦେଇ ଅତିକ୍ରମ କରିଥିଲେ । ସେମାନେ ବିନା ଅନୁମତିରେ ବେଆଇନଭାବେ କୋଭିଡ ନିୟମ ଭଙ୍ଗକରି ଅତି ବେପରୁଆ ଢଙ୍ଗରେ ଏପରି ଶୋଭାଯାତ୍ରା କରିଥିଲେ ।

ତେବେ ଏନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ସାଙ୍ଗକୁ ଏକ୍ଷେତ୍ରରେ କମିସନରେଟ ପୋଲିସର ନିଷ୍କ୍ରିୟତା ପାଇଁ ବେଶ ସମାଲୋଚନା କରାଯାଇଥିଲା । ଏହାପରେ କଠୋର ଆଭିମୁଖ୍ୟ ଆପଣେଇ ଦୁଇଦିନ ଧରି ଆକ୍ସନ ମୁଡରେ ଚଢ଼ାଉ କରି ଶୋଭାଯାତ୍ରାରେ ବ୍ୟବହୃତ ଜିପକୁ ଜବତ କରି କ୍ରେନ ଯୋଗେ ଟେକିନେବା ସହ ଗୋଟିଏ କାର ଓ ପାଞ୍ଚୋଟି ୨ ଚକିଆ ମୋଟର ଯାନକୁ ମଧ୍ୟ ଜବତ କରିଛି ପୋଲିସ । ଏଥିସହ ଲକ୍ଷ୍ମୀସାଗର,ବଡ଼ଗଡ଼,ଏୟାରଫିଲଡ ଓ ଏୟାରପୋର୍ଟ ଥାନାରେ ବିଭିର୍ନ ଦଫାରେ ସମ୍ପୃକ୍ତ ଶୋଭାଯାତ୍ରାକାରୀମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଘଟଣାରେ ଲିପ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କମିସନରେଟ ପୋଲିସ ସୂତ୍ରରୁ କୁହାଯାଇଛି।