ଆଇପିଏଲ-୨୦୨୦ ସନରାଇଜର୍ସକୁ ହରାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍‌ସ

ଆଇପିଏଲ-୨୦୨୦ ସନରାଇଜର୍ସକୁ ହରାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍‌ସ

ଆବୁଧାବି : ଆଇପିଏଲ-୨୦୨୦ର ଫାଇନାଲରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା ହେବ। ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRHକୁ ପରାସ୍ତ କରି ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ (DC)। ଏହି ମ୍ୟାଚର ହିରୋ ହେଲେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ। ସେ 27 ବଲରେ ୩୮ ରନର ଇନିଂସ ଖେଳିବା ସହ ତିନି ଓଭରରେ ୨୬ ରନ୍ ଦେଇ ତିନୋଟି ୱିକେଟ୍ ନେଇଛନ୍ତି।

ଆଇପିଏଲ୍ ୨୦୨୦ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ହାଇଦ୍ରାବାଦକୁ ଦିଲ୍ଲୀ ୧୭ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବଂ ଦ୍ରୁତ ବୋଲର କାଗିସୋ ରାବାଡାଙ୍କ ପାଇଁ ଦିଲ୍ଲୀ ଏହି ବିଜୟ ହାସଲ କରିଛି। ଷ୍ଟୋଇନିସ୍ ପ୍ରଥମେ ବ୍ୟାଟିଂରେ ୩୮ ରନର ପାଳି ଖେଳିଥିଲେ। ପରେ ବୋଲିଂ ତିନି ଓଭରରେ ୨୬ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ଏଥି ସହିତ ରାବଡା ଚାରି ଓଭରରେ ୨୯ ରନ୍ ଦେଇ ହାଇଦ୍ରାବାଦର ଚାରିଟି ୱିକେଟ୍ ଖସାଇଥିଲେ।

ପ୍ରଥମ ପାଳିରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ଦିଲ୍ଲୀ ୧୮୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୭୨ ରନ୍ ସ୍କୋର କରିଛି। ଏହି ପରାଜୟ ପରେ ହାଇଦ୍ରାବାଦ ଚଳିତ ଆଇପିଏଲରୁ ଆଉଟ ହୋଇଯାଇଛି। ସେପଟେ ୧୭ ରନରେ ମ୍ୟାଚ ଜିତି ପ୍ରଥମ ଥର ଦିଲ୍ଲୀ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିଲ୍ଲୀ ଟାଇଟଲ ପାଇଁ ମୁମ୍ବାଇକୁ ଭେଟିବ।

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ମାର୍କସ ଷ୍ଟୋଇନିସ୍ ଏବଂ ଶିଖର ଧାୱନଙ୍କ ଏକ ଭଲ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୮ ଓଭର ୨ଟି ବଲରେ ୮୬ ରନର ପାର୍ଟନରସିପ କରିଥିଲେ। ଷ୍ଟୋଇନିସ୍ ୨୭ ବଲରେ ୩୮ ରନ୍ କରି ଆଉଟ ହୋଇଥିଲେ। ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଶ୍ରେୟାସ ଆୟର ୨୦ ବଲରେ ୨୧ ରନ ସଂଗ୍ରହ କରିଥିଲେ।