କାଲିଠୁ ସରକାରୀ ସ୍କୁଲରେ ନାମଲେଖା

କାଲିଠୁ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ଵର: ରାଜ୍ୟର ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲଗୁଡ଼ିକରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାରଠାରୁ ନାମଲେଖା ଆରମ୍ଭ ହେବ। ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ। ଏକ ସମୟରେ ୫ ଜଣରୁ ଅଧିକ ଅଭିଭାବକ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ବୋଲି ଚିଠିରେ କୁହାଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଡିପିସିଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି।ନାମଲେଖା କାର୍ଯ୍ୟ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ଚିଠିରେ ଅତିରିକ୍ତ ସଚିବ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ନାମଲେଖା ସମୟରେ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ମଧ୍ୟ ଚିଠିରେ ନିର୍ଦେଶ ଦିଆଯାଇଛି। ତେବେ ନାମଲେଖା ସମ୍ପର୍କରେ ‘ଶିକ୍ଷା ସଂଯୋଗ’ ହ୍ବାଟ୍ସଆପ୍‌ ଗ୍ରୁପ ଜରିଆରେ ଅଭିଭାବକମାନଙ୍କୁ ସୂଚନା ଦେବା ଳାଗି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।