ପ୍ରଥମ ମହିଳା ଭାବେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ହେଲେ ଉଷା ପାଢ଼ୀ

ପ୍ରଥମ ମହିଳା ଭାବେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ହେଲେ ଉଷା ପାଢ଼ୀ

ଓଡିଆଙ୍କ ପାଇଁ ଭଲ ଖବର । ଓଡିଶା କ୍ୟାଡରର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ୱ ମିଳିଛି | ସେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ବ ପାଇଛନ୍ତି | କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ପଦୋନ୍ନତି ମିଳିଛି । ଗର୍ବର କଥା ହେଉଛି ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ଉଷା ହେଉଛନ୍ତି ପ୍ରଥମ ମହିଳା | ସିଭିଲ୍ ଏଭିଏସନର ୩୩ ବର୍ଷର ଇତିହାସରେ ସେ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ । ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଉ ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍‌ଏଫ୍‌’ ଭାବେ ଦାୟିତ୍ବ ଗ୍ରହଣ କରିବେ । ଏହା ପରେ ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିବ |ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରି ସାରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି |

ଏବେ ନଜର ପକାଇବା ସିଭିଲ ଏଭିଏସନର ଇତିହାସ ଉପରେ । ୧୯୮୭ ମସିହାରୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ସଂସ୍ଥା ପ୍ରତିଷ୍ଠା ହୋଇଥିଲା । ୧୯୮୭ ମସିହାରୁ ୨୦୧୬ ଯାଏଁ ୧୪ ଜଣ କମିଶନର ଭାବେ କାର୍ଯ୍ୟ କରିସାରିଛନ୍ତି | ଏହା ପରେ ଏହାର ସର୍ବୋଚ୍ଚ ଅଧିକାରୀଙ୍କୁ ଡିଜି ପାହ୍ୟା ଦିଆଯାଇଥିବା ବେଳେ ଉଷା ପାଢ଼ୀଙ୍କ ପୂର୍ବରୁ ଦୁଇ ଜଣ ଆଇପିଏସ ଏହି ପଦବୀରେ ଥିଲେ | ଏ ସଂପର୍କରେ ଉଷା ମଧ୍ୟ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି ” ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ତାଲିକାରେ ‘ଶ୍ରୀମତୀ’ଙ୍କ ନାମ ସାମିଲ ହେଲା ” । ଏହା ଓଡିଆଙ୍କ ପାଇଁ ନିଶ୍ଚୟ ଗର୍ବର କଥା ।