୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

କଟକ,୧୫/୪ : ୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉକ୍ତ ରାୟ ଅନୁସାରେ ଯଦି ଜଣେ କର୍ମଚାରୀ ତାଙ୍କ ଚାକିରିରେ ୬ବର୍ଷ ପୂରଣ କରୁଛନ୍ତି ତାହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ ବା ରେଗୁଲାର୍ କରିବାକୁ ବାଧ୍ୟ । କାରଣ ଏକ ଆଦର୍ଶ ନିଯୁକ୍ତିଦାତା ଭାବରେ ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ପୁରଣ କରିବା କଥା । ତେବେ ଗୋଟିଏ ମାମଲାର ଶୁଣାଣି କରିବାକୁ ଯାଇ ଏପରି ରାୟ କରିଛନ୍ତି ହାଇକୋର୍ଟ ।
ସୁଚନା ଅନୁସାରେ, ନୟାଗଡର କିଛି ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ନିର୍ଦ୍ଦେଶନାମାଟି ହେଲା ଚାକିରୀରେ ୧୫ବର୍ଷ ପୂରଣ କରିଥିଲେ ମଧ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପୁରୁଷ)ଙ୍କୁ ନିୟମିତ ବା ରେଗୁଲାର୍ କରାଯିବ ନାହିଁ । ହେଲେ ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ର୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଉକ୍ତ ନିର୍ଦ୍ଦେଶନାମା ଆଇନତଃ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି ଏବଂ ତାକୁ ରଦ୍ଦ କରିଦେଇଛନ୍ତି । ଏଥିସହ ଯେଉଁମାନେ ୬ବର୍ଷ ଚାକିରି କାଳ ପୂରଣ କରିଛନ୍ତି ସେମାନଙ୍କୁ ନିୟମିତ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାନସରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲା ଅନୁସାରେ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବା ସିଡିଏମ୍ଓଙ୍କ ପକ୍ଷରୁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ କିଛି ଠିକା ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ନିୟମିତ ପଦବି ସ୍ଥାନରେ ଏହି ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାଭିତରେ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କ ପଦବୀରେ ୧୫ବର୍ଷ ପୂରଣ କରି ସାରିଛନ୍ତି । ୨୦୦୮ ଏବଂ ୨୦୧୩ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିଷ୍ପତ୍ତି ନିଆଗଲା ଯେ, ଯେଉଁମାନେ କି’ ୬ବର୍ଷ ପୂରଣ କରିଥିବେ ସେମାନଙ୍କୁ ନିୟମିତ କରାଯିବ । କିନ୍ତୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ନିୟମରୁ ବାଦ୍ ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ସ୍ୟାଟ୍ରେ ମାମଲା ରୁଜୁ କରିଥିଲେ । ସ୍ୟାଟ୍ ଏହି ଆବେଦନକୁ ଗ୍ରହଣ କରି ୬ବର୍ଷ ପୂରଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପରେ ସ୍ୱାସ୍ଥ୍ୟକର୍ମୀଙ୍କୁ କିଛି ଜିଲ୍ଲାରେ ନିୟମିତ କରାଯାଇଥିଲାବେଳେ ରାଜ୍ୟ ସରକାର ସ୍ୟାଟ୍ ଆଦେଶ ବିରୋଧରେ ହାଇକୋର୍ଟରେ ରିଟ୍ ଫାଇଲ୍ କରିଥିଲେ । ଏହାପରେ ୨୦୨୦ ନଭେମ୍ବର ୨୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ସିଡିଏମ୍ଓଙ୍କୁ ଏକ ଚିଠି କରାଯାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ ପାଇଁ ଦିଆଯାଇଥିବା ଆଦେଶକୁ ବାତିଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।