ବାହା ବେଦୀରୁ ବରକୁ ଉଠାଇ ନେଲା ପ୍ରଶାସନ

ବାହା ବେଦୀରୁ ବରକୁ ଉଠାଇ ନେଲା ପ୍ରଶାସନ

ବ୍ରହ୍ମପୁର।ସାନଖେମୁଣ୍ଡି ୨୧।୫: ବରର କରୋନା ରିପୋର୍ଟ ଆସିଲା ପଜିଟିଭ୍, ବେଦୀରୁ ଉଠାଇ ନେଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ । ବାହା ବେଦୀରୁ ବରକୁ ଉଠାଇ ନେଲା ପୋଲିସ ।ସୂଚନାଯୋଗ୍ୟ ଯେ, ଦିନକୁ ଦିନ ସଂକ୍ରମଣ ହାର ବଢ଼ିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଅବଧି ଜୁନ୍ ୧ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ କେବଳ ୨୫ ଜଣଙ୍କୁ ନେଇ ଆୟୋଜନ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏହାସହ ଭୋଜି ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ସବୁଠୁ ବଡ଼ କଥା ହେଲା ବାହାଘର ସମୟରେ ଭୋଜି ସମ୍ପୂର୍ଣ୍ଣ ବନ୍ଦ ଓ ଅତିଥିଙ୍କୁ ଘରେ ନ ପୁରାଇବା, ଗହଳି ଚହଳି ନକରିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଖାଦ୍ୟ ପାର୍ସଲ ଦେବାକୁ କୁହାଯାଇଛି । ତଥାପି ମାନୁ ନାହାଁନ୍ତି ଅମାନିଆ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗ୍ରାମରେ । ଗାଁର ରାଜେନ୍ଦ୍ର ଦଣ୍ଡିଆଙ୍କ ଶୁକ୍ରବାର ବାହାଘର ଥିଲା । ତେବେ ସେ କୋରନା ଟେଷ୍ଟ କରିଥିବା ବେଳେ ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ସତ୍ତ୍ବେ ଘରଲୋକ ଜୋରଜବରଦସ୍ତ ବାହାଘର କରାଉଥିଲେ । ଏ ନେଇ ଖବର ପାଇବା ପରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଗାଁରେ ପହଞ୍ଚି ବାହାଘର ବନ୍ଦ କରିଥିବା ଦେଖିବାକୁ ମିଳିଛି ।ବରକୁ ବେଦୀରୁ ଉଠାଇ ନେଇ ଏକ ଘରେ ଆଇସଲେସନରେ ରଖାଯାଇଛି । କନ୍ୟା ଜଣଙ୍କ ନିକଟସ୍ଥ ଗାଁର ହୋଇଥିବାରୁ ତାଙ୍କୁ ମଧ୍ୟ ଗାଁର ଏକ ଘରେ ଆଇସୋଲେସନରେ ରଖାଯାଇଛି । ବାହାଘର ପାଇଁ ହୋଇଥିବା ଭୋଜି ଭାତକୁ ଗାଁରେ ଅଲଗା ରଖାଯାଇଛି । ବାହାଘର ବେଳେ ବରର କରୋନା ରିପୋର୍ଟ ପଜିଟିଭ୍ ଶୁଣି କନ୍ୟା ଘରଲୋକ ଏବଂ ସମ୍ପର୍କୀୟ ଭୟରେ ଅଛନ୍ତି ।