ଗୁଣି ଗାରେଡି ସନ୍ଦେହ କରି ଜଣଙ୍କୁ ହତ୍ୟା

ଗୁଣି ଗାରେଡି ସନ୍ଦେହ କରି ଜଣଙ୍କୁ ହତ୍ୟା

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଲୋକ କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ବାଗା କାବାସୀ ଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ତାର ଘର ସମ୍ମୁଖରେ ହତ୍ୟା କରିବା ପରେ ଗ୍ରାମ ଠାରୁ ୪ ଶହ ମିଟର ଦୂର ଏକ ମଶାଣିରେ ନେଇ ପୋଡି ଦେଇଥିଲେ । ଗତକାଲି ସନ୍ଧ୍ୟାରେ ପରିବାରର ଲୋକ ଭୟଭୀତ ଅବସ୍ଥାରେ ପଡିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ପକ୍ଷରୁ ଏହି ଗ୍ରାମ ରେ ଚଢାଉ କରାଯାଇ କିଛି ଦାଗୀ ସନ୍ଦେହୀ ଙ୍କୁ ଆଣି ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି । ଏ ନେଇ ପଡିଆ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି। ପ୍ରାଥମିକ ତଦନ୍ତରେ ଗ୍ରାମର କିଛି ଲୋକ ମୃତ ବାଗା ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିବା ସହ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ଯୋଜନାବଦ୍ଧ ଭାବେ କିଛି ଲୋକ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ଅନୁମାନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।