ପାକିସ୍ତାନ କ୍ରିକେଟ ଦଳକୁ ଭିସା ଦେବ ଭାରତ

ପାକିସ୍ତାନ କ୍ରିକେଟ ଦଳକୁ ଭିସା ଦେବ ଭାରତ

ଆଇସିସି ଟି୨୦ ବିଶ୍ୱକପ ଦେଶର ଦିଲ୍ଲୀ, ମୁମ୍ବଇ, ଚେନ୍ନଇ, କୋଲକାତା, ବେଙ୍ଗାଲୁରୁ, ହାଇଦରାବାଦ ଏବଂ ଧର୍ମଶାଳା ଆଦି ସ୍ଥାନରେ ଖେଳାଯିବ। ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଅକ୍ଟୋବରରେ ଖେଳାଯିବ ଆଇସିସି ବିଶ୍ୱକପ ଟି୨୦ କ୍ରିକେଟ। ସେଥିରେ ଅଂଶଗ୍ରହଣ କରିବାନେଇ ପାକିସ୍ତାନ ଆଉ ସମସ୍ୟାର ସମ୍ମୁଖୀନ ହେବନାହିଁ। ଏଥିପାଇଁ ପାକିସ୍ତାନ କ୍ରିକେଟ ଦଳକୁ ଭିସା ପ୍ରଦାନ କରାଯିବ। ଭିସା ମିଳିବା ପରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ଭାରତ ଆସିପାରିବେ। ଭାରତ ସରକାର ସେମାନଙ୍କୁ ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ବିଷୟ ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୂଚନା ଦେଇଛନ୍ତି।ସେ କହିଛନ୍ତି, ପାକିସ୍ତାନ କ୍ରିକେଟ ଦଳକୁ ଭିସା ପ୍ରଦାନ ପ୍ରସଙ୍ଗର ସମାଧାନ ହୋଇସାରିଛି। ତେବେ ସେ ଦେଶର କ୍ରିକେଟ ପ୍ରଶଂସକମାନଙ୍କୁ ଭାରତ ଆସିବାକୁ ଅନୁମତି ମିଳିବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଠିକଣା ସମୟରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ବିସିସିଆଇ ପକ୍ଷରୁ ଏହି ବିଷୟରେ ଶୀଘ୍ର ନିଷ୍ପତ୍ତି ନିଆଯିବା ନେଇ ଆଇସିସିକୁ ପ୍ରତିଶ୍ରୁତି ଦିଆଯାଇଛି।