ରାଜ୍ୟରେ ଜୁନ୍ ପହିଲା ଯାଏ ଲକଡାଉନ୍

ରାଜ୍ୟରେ ଜୁନ୍ ପହିଲା ଯାଏ ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଲକ୍‌ଡାଉନ୍ ଅବଧିକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ମହାମାରୀକୁ ନେଇ ଭୟ ଓ ଚିନ୍ତା ଥମିବାର ନାଁ ଧରୁନି । ସଂକ୍ରମଣ ବଢ଼ିବାକୁ ଆଖି ଆଗରେ ରଖି ସରକାର କଟକଣାକୁ କଡ଼ାକଡ଼ି କରୁଛନ୍ତି । ଏହି କ୍ରମରେ ରାଜ୍ୟରେ ପୁଣି ୨ ସପ୍ତାହ ବଢ଼ିଛି ଲକଡାଉନ୍ । ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସୂଚନା ଦେଇଛନ୍ତି । ତେବେ ଲକ୍ଡାଉନ୍ ବଢ଼ିବା ପରେ ସାଧାରଣ ଗରିବ ଓ ଖଟିଖିଆଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି । ଜୀବନ ଓ ଜୀବିକାକୁ ନେଇ ଉପାୟ ପାଉନାହାନ୍ତି ଲୋକେ । ସେପଟେ କରୋନା ଆତଙ୍କକୁ ଏପଟେ ବଞ୍ôଚବା ପାଇଁ ଅନ୍ନ ଚିନ୍ତାରେ ଲୋକେ କଲବଲ ହୋଇଗଲେଣି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁସାରେ, କରୋନା ସଂକ୍ରମଣକୁ ପ୍ରତିହତ କରିବା ଓ ଭୂତାଣୁ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ତେଣୁ ଜନସାଧାରଣ ସହଯୋଗ କରିବା ସହିତ ଆସନ୍ତା ଦୁଇ ସପ୍ତାହ ଅଧିକ ସତର୍କ ରହିବାକୁ କହିଛନ୍ତି । ଏଥିସହ କୋଭିଡ୍ କଟକଣାର ସମସ୍ତ ନିୟମ ନିଶ୍ଚିତ ପାଳନ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତ ସାନିଟାଇଜ୍ କରିବା ସହ ଭଲ ଭାବେ ଧୋଇବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨ ସପ୍ତାହ ଆମ ରାଜ୍ୟ ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମଧ୍ୟରେ ସଂକ୍ରମଣକୁ ଆହୁରି ପ୍ରତିହତ କରିହେବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି ।