ନୂଆଦିଲ୍ଲୀ: ୨୦୧୫ ମସିହାରେ ଏକ ଉତ୍ସବରେ ଦେବାଶିଷ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ଏମପି ଅଭିଶେଷ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିଲେ । ଆଜି ଦେବାଶିଷଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିଭିନ୍ନ ଦିଗରୁ ପ୍ରଶ୍ନ ଉଠିଛି । ଗତକାଲି ଦେବାଶିଷଙ୍କୁ କିଛି ଅଜଣା ଲୋକ ମିଦନାପୁରର ତାମୁଲକ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଦେବାଶିଷ ୨୦୦୨ରେ ବିଜେପିରେ ଯୋଗ ଦେଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି ।ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଦେବାଶିଷ ଗତ ୧୬ ତାରିଖ ସନ୍ଧ୍ୟାରେ ତାଙ୍କର ଦୁଇ ସାଙ୍ଗଙ୍କ ସହ ଶେଷଥର ପାଇଁ ବାହାରକୁ ଯାଇଥିଲେ । ଗତକାଲି ତାଙ୍କୁ କିଛି ଅଜଣା ଲୋକ ସକାଳ ୪.୧୦ରେ ହସ୍ପିଟାଲରେ ଭର୍ତ୍ତି କରିବା ସହ ସଙ୍ଗେସଙ୍ଗେ ଚାଲିଯାଇଥିଲେ । ଏହା ମଧ୍ୟ ହତ୍ୟାକାଣ୍ଡ ନେଇ ସନ୍ଦେହ ବଢ଼ାଇବା ସହ ବିଜେପି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି । ସୂଚନାଯୋଗ୍ୟ ଯେ, ୨୦୧୫ରେ ଅଭିଶେଷଙ୍କୁ ଚାପୁଡ଼ା ମାରିବା ପରେ ଟିଏମସି କର୍ମୀମାନେ ଦେବାଶିଷଙ୍କୁ ବହୁତ ଧୁଲାଇ କରିଥିଲେ । ଏହାପରେ ଦେବାଶିଷଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଅଭିଶେଷଙ୍କ ହସ୍ତକ୍ଷେପ ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।