ଓଡିଆ ପୁଅ ସୋଏବ NEET ଟପ୍ପର୍

ଓଡିଆ ପୁଅ ସୋଏବ NEET ଟପ୍ପର୍

ଭୁୁବନେଶ୍ୱର: ଓଡ଼ିଶା ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ବିଷୟ । ରାଉରକେଲାର ୧୮ ବର୍ଷୀୟ ଛାତ୍ର ସୋଏବ ଅଫତାବ ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି । ସମୁଦାୟ ୭୨୦ ରୁ ୭୨୦ ନମ୍ବର ରଖି ସେ ରେକର୍ଡ ସୃଷ୍ଟି କରିଛନ୍ତି । ନିଟ୍ ଇତିହାସରେ ପୂର୍ବରୁ କୌଣସି ଛାତ୍ର ଶତ ପ୍ରତିଶତ ନମ୍ବର ରଖି ନ ଥିଲେ । ଗତବର୍ଷର ଟପ୍ପର୍ ୭୨୦ରୁ ୭୦୧ ନମ୍ବର ରଖିଥିଲେ ।

ସୋଏବ ଙ୍କ ଘର ରାଉରକେଲାରେ ହୋଇଥିଲେ ମଧ୍ୟ ରାଜସ୍ଥାନ କୋଟାରେ ରହି ପାଠ ପଢୁଥିଲେ । ତାଙ୍କ ବାପା ଓ ମାଆ ମଧ୍ୟ ରାଜସ୍ଥାନରେ ରହୁଛନ୍ତି । ବାପାଙ୍କର ରାଉରକେଲାରେ ଗୋଟିଏ ଛୋଟ ଚା’ ଦୋକାନ ଥିଲା ବୋଲି ଜଣାପଡ଼ିଛି । ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିଲେ ମଧ୍ୟ ପିଲାଦିନୁ ଅତ୍ୟନ୍ତ ମେଧାବୀ ଥିବା ସୋଏବଙ୍କ ପାଠପଢ଼ା ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ସୋଏବଙ୍କ ପାଠପଢ଼ାରେ ବାପାମାଆ ସାଲିସ୍ କରିନାହାନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ମାଆ, ବନ୍ଧୁ ପରିଜନ ଏବଂ ଶିକ୍ଷକମାନଙ୍କର ବିଶେଷ ଉଦ୍ୟମ ଥିଲା ବୋଲି ତାଙ୍କ ବାପା ପ୍ରତିକ୍ରିୟା ଦେଇଛନ୍ତି ।

କୋଭିଡ ଯୋଗୁଁ ଚଳିତବର୍ଷ ଅନିଶ୍ଚିତତା ମଧ୍ୟରେ ଥିଲା ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷା । ପ୍ରାୟ ୩ ମାସ ବିଳମ୍ବରେ ଗତ ସେପ୍ଟେମ୍ବର ମାସରେ ପରୀକ୍ଷା ହୋଇଥିଲା । ଆଉ ଏହି ପରୀକ୍ଷା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି । ସୋଏବଙ୍କ ସଫଳତା ପାଇଁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।