ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହେଲେ ଓଡ଼ିଆ ଖେଳାଳି

ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହେଲେ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ମହିଳା ଟି୨୦ ଚ୍ୟାଲେଞ୍ଜ । ଏଥିଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଇଭେଣ୍ଟରେ ଅଂଶ ଗ୍ରହଣ କରିବାକୁ ଥିବା ୩ଟି ଦଳ ଲାଗି ରବିବାର ଖେଳାଳି ଘୋଷଣା କରାଯାଇଛି। ସୁପର୍‌ନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ନାମକ ୩ଟି ଦଳଏହି ପ୍ରତିଯୋଗିତାରେ ଭାଗ ନେବେ । ଗତ ବର୍ଷ ଭଳି ୩ ଅନ୍ତର୍ଜାତୀୟ ଷ୍ଟାର୍‌ ମହିଳା ଖେଳାଳି ହରମନପ୍ରୀତ୍‌ କୌର, ସ୍ମୃତି ମନ୍ଧାନା ଓ ମିଥାଲି ରାଜ ଯଥାକ୍ରମେ ସୁପର୍‌ନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ଦଳର ନେତୃତ୍ୱ ଭାର ଦିଆଯାଇଛି । ଓଡ଼ିଶା ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ଏଥର ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଖେଳିବା ଲାଗି ମନୋନୀତ ହୋଇଛନ୍ତି। ଢେଙ୍କାନାଳର ଏହି ୨୩ ବର୍ଷିୀୟା ସୁଶ୍ରୀ ଭେଲୋସିଟି ଦଳ ପକ୍ଷରୁ ପ୍ରତିନିଧିତ୍ବ କରିବେ । ଭାରତୀୟ ଦଳର ବରିଷ୍ଠ ଖେଳାଳି ମିଥାଲିଙ୍କ ନେତୃତ୍ୱରେ ସେ ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ଖେଳିବେ। ଗତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ଥିଲେ ସୁଶ୍ରୀ ।

ଜଣାଇ ଦେଉ , ଭାରତୀୟ ଖେଳାଳିଙ୍କ ସମେତ ଚଳିତ ବର୍ଷ ୧୨ ଜଣ ବିଦେଶୀ ମହିଳା କ୍ରିକେଟର୍‌ ଏହି ପ୍ରତିଯୋଗିତାରେ ଭାଗ ନେବେ। ଗତ ବର୍ଷର ଫାଇନାଲିଷ୍ଟ ଭେଲୋସିଟି ଓ ସୁପର୍‌ନୋଭାସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ନଭେମ୍ବର ୪ରେ ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ବିସିସିଆଇ ଭେନ୍ୟୁ ଘୋଷଣା କରି ନ ଥିଲେ ମଧ୍ୟ ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ଜଣାପଡ଼ିଛି।