ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ରର ଅବଧି

ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ରର ଅବଧି

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଗାଡି କାଗଜପତ୍ର ଅବଧିକୁ ବଢ଼ାଇଛନ୍ତି  କେନ୍ଦ୍ର ସରକାର । ଡିସେମ୍ବର ୩୧ ଯାଏ ଗାଡି କାଗଜପତ୍ରର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ଯଦି କାଗଜପତ୍ରର ଅବଧିି ଶେଷ ହୋଇଯିବ, ତେବେ ଆପଣଙ୍କୁ କୌଣସି ଫାଇନ ଦେବାକୁ ପଡ଼ିବ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି । ଏଥିସହ ସମସ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।

ଏହା ପୂର୍ବରୁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଲକ୍‌ଡାଉନ୍‌ ମଧ୍ୟରେ ବୈଧତା ସରିଥିବା ଗାଡିର ଡ୍ରାଇଭିଂ ଲାଇସେନ୍ସ, ଆରସି, ଫିଟନେସ୍‌ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟ କାଗଜପତ୍ରର ବୈଧତା ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଜୁନ ୩୦ ବେଳକୁ ସ୍ଥିତିରେ କୌଣସି ସୁଧାର ନଆସିବାରୁ ସରକାର ପୁଣି ଥରେ ଅବଧି ବଢାଇବାକୁ ନିଷ୍ପତ୍ତି  ହୋଇଥିଲେ। ଏବେ ସରକାର ତୃତୀୟ ଥର ଏହି ସମୟ ସୀମାକୁ ବଢାଇ ୨୦୨୦ ଡିସେମ୍ବର ୩୧ କରିଛନ୍ତି।

କେନ୍ଦ୍ର ସରକାର ସଂକ୍ରମଣକୁ ରୋକିବା ପାଇଁ କୌଣସି ଗୋଟିଏ ଜାଗାରେ, କାର୍ଯ୍ୟାଳୟରେ ଭିଡ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଜାଗାରେ ଏବେ ମଧ୍ୟ ଲକ୍‌ଡାଉନ୍‌ ଓ ୧୪୪ ଧାରା ଜାରି ରହିଛି। ତେଣୁ ଗାଡି କାଗଜପତ୍ର ନବୀକରଣ କରାଇବା କାମ ପ୍ରଭାବିତ ହୋଇଥିଲା। ଲୋକେ ନିଜର କାଗଜପତ୍ର ନବୀକରଣ କରାଇବା ପାଇଁ ପରିବହନ କାର୍ଯ୍ୟାଳୟ ମଧ୍ୟ ଯାଇପାରୁନଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନବୀକରଣ ସମୟସୀମା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ବିଜ୍ଞପ୍ତିରେ କହିଛନ୍ତି ୨୦୨୦ ଫେବୃଆରୀ ୧ରେ  ବୈଧତା ସରିଥିବା କିମ୍ବା ଏବେ ସରୁଥିବା ଗାଡି କାଗଜପତ୍ରର  ବୈଧତା ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ।