ଇଂଲଣ୍ଡରେ ପହଞ୍ଚିଲେ ଭାରତୀୟ ପୁରୁଷ, ମହିଳା ଦଳ: ୧୦ ଦିନିଆ କ୍ୱାରେଣ୍ଟାଇନ୍‌ରେ ଉଭୟ ଦଳର ଖେଳାଳି

ଇଂଲଣ୍ଡରେ ପହଞ୍ଚିଲେ ଭାରତୀୟ ପୁରୁଷ, ମହିଳା ଦଳ: ୧୦ ଦିନିଆ କ୍ୱାରେଣ୍ଟାଇନ୍‌ରେ ଉଭୟ ଦଳର ଖେଳାଳି

ଲଣ୍ଡନ ୦୪/୦୬: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ ଏକତ୍ର ଏକ ଚାର୍ଟର ବିମାନ ଜରିଆରେ ସୁରକ୍ଷିତ ଭାବେ ଇଂଲଣ୍ଡରେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ଉଭୟ ଦଳ ସିଧା ସାଉଥମ୍ପଟନ୍ ଯାତ୍ରା କରିଥିଲେ । ସେଠାରେ ପହଞ୍ଚିବା ପରେ ପୁରୁଷ ଓ ମହିଳା ଦଳର ପ୍ରତ୍ୟେକ ସଦସ୍ୟଙ୍କ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ବାହାରିବା ପରେ ଉଭୟ ଦଳର ଖେଳାଳିମାନେ ବାଧ୍ୟତାମୂଳକ ୧୦ଦିନିଆ କ୍ୱାରେଣ୍ଟାଇନ୍ରେ ରହିଛନ୍ତି ।ଗୁରୁବାର ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ଲୋକେଶ ରାହୁଲ ଟ୍ୱିଟରରେ ଫଟୋ ପୋଷ୍ଟ କରି ସାଉଥମ୍ପଟନ୍ରେ ପହଞ୍ଚିବା ବିଷୟ ଜଣାଇଛନ୍ତି । ଭାରତୀୟ ଦଳ ଏବେ ସାଉଥମ୍ପଟନ୍ର ଏଜେସ୍ ବାଉଲ ସ୍ଥିତ ହିଲଟନ୍ ହୋଟେଲରେ ଅବସ୍ଥାନ କରୁଛନ୍ତି । ଏହି ଗ୍ରାଉଣ୍ଡରେ ଦଳ ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବ । ଏହାପରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (ଅଗଷ୍ଟ ୪ରୁ) ଖେଳିବ ।ମହିଳା ଦଳ ଆସନ୍ତା ୧୬ ତାରିଖରୁ ବ୍ରିଷ୍ଟଲ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବ । ଏହାପରେ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଜୁଲାଇ ୧୫ ତାରିଖ ମହିଳା ଦଳ ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ରହିଛି ।ଭାରତୀୟ ପୁରୁଷ ଓ ମହିଳା ଦଳର ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ସମସ୍ତ ବନ୍ଦୋବସ୍ତ କରିଥିଲା । ଗସ୍ତ ପୂର୍ବରୁ ଉଭୟ ଦଳର ଖେଳାଳିମାନେ ମୁମ୍ବାଇରେ ୧୪ଦିନ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଏହି ସମୟ ମଧ୍ୟରେ ଖେଳାଳିମାନଙ୍କର ପର୍ଯ୍ୟାୟକ୍ରମେ କୋଭିଡ୍ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ଏକ ଚାର୍ଟର ବିମାନ ଜରିଆରେ ଉଭୟ ଦଳ ଏକତ୍ର ଇଂଲଣ୍ଡ ଗସ୍ତରେ ବାହାରି ଯାଇଥିଲେ