ଭ୍ୟାକ୍ସିନ ଉପରେ ଜିଏସଟି ଆଦାୟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ଭ୍ୟାକ୍ସିନ ଉପରେ ଜିଏସଟି ଆଦାୟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ : ଜନତାଙ୍କ ଜୀବନ ଚାଲିଯାଉ, ତଥାପି ଟ୍ୟାକ୍ସ ଛାଡ଼ କରିବେନି କେନ୍ଦ୍ର ସରକାର । କରୋନା ଭ୍ୟାକ୍ସିନ ମୂଲ୍ୟ ପରେ ଏବେ ତା’ ଉପରେ ଲାଗୁଥିବା ଟ୍ୟାକ୍ସକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି । ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭ୍ୟାକ୍ସିନ କିଣିଲେ  ଲାଗୁଥିବା ଜିଏସଟି ହଟାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ । ଏହାପୂର୍ବରୁ ରାଜସ୍ଥାନ ଏବଂ ଛତିଶଗଡ ସରକାର ମଧ୍ୟ ଟିକା ଉପରେ ଜିଏସଟି ଲାଗୁ କରିବାକୁ ବିରୋଧ କରିଛନ୍ତି । ଏପଟେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭ୍ୟାକ୍ସିନ ଉପରେ ଟ୍ୟାକ୍ସ ଆଦାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି, ଜନତାଙ୍କ ଜୀବନ ଯାଉ, କିନ୍ତୁ ଟ୍ୟାକ୍ସ ଆଦାୟ ଛାଡ଼ିବେନି ପ୍ରଧାନମନ୍ତ୍ରୀ । ସରକାର ବିଦେଶରୁ ଆସୁଥିବା କରୋନା ଭ୍ୟାକ୍ସିନ ଉପରେୁ ଜିଏଟସି ହଟାଇ ଦେଇଛନ୍ତି । କିନ୍ତୁ ଦେଶ ଭିିତରେ ଭ୍ୟାକ୍ସିନ କିଣିଲେ ଏବେ ଜିଏସଟି ଦେବାକୁ ପଡ଼ୁଛି । କେନ୍ଦ୍ର ସରକାଙ୍କର ପକ୍ଷରୁ କରୋନା ସଞ୍ଜିବନୀ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରାଯାଉଛି । ସିରମ ଇନଷ୍ଟିଟ୍ୟୁଟ୍ କୋଭିସିଲ୍ଡର ଏକ ଡୋଜକୁ ୩୦୦ ଟଙ୍କା ଓ ଭାରତ ବାୟୋଟିକ କୋଭାକ୍ସିନର ଡୋଜକୁ ୪୦୦ ଟଙ୍କାରେ ରାଜ୍ୟ ଗୁଡ଼ିକୁ ଉପଲବ୍ଧ କରାଉଛନ୍ତି । ଏହା ଉପରେ ୫ ପ୍ରତିଶତ ଜିଏସଟି ଭିନ୍ନ ରୂପରେ ଆଦାୟ କରୁଛନ୍ତି କେନ୍ଦ୍ର ସରକାର । ଏହାପରେ ରାଜ୍ୟକୁ କୋଭିସିଲ୍ଡର ଗୋଟିଏ ଡୋଜ୍ ୩୧୫ ଟଙ୍କା ଓ କୋଭାକ୍ସିନର ଗୋଟିଏ ଡୋଜ୍ ପାଇଁ ୪୨୦ଟଙ୍କା ଦେବାକୁ ପଡ଼ୁଛି । ଫଳରେ ରାଜ୍ୟ ଉପରେ ଅତିରିକ୍ତ ବୋଝ ବଢ଼ିଯାଉଛି । ଏଥିପାଇଁ ଅନେକ ରାଜ୍ୟ ଭ୍ୟାକ୍ସିନ ଉପରେ ଲାଗୁଥିବା ଜିଏଟସି ହଟାଇବା ପାଇଁ ଦାବି କରୁଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ଉଭୟ ଭ୍ୟାକ୍ସିନର ଗୋଟିଏ ଡୋଜ ୧୫୦ରେ ଟଙ୍କାରେ ମିଳୁଛି । ଦିନକ ପୂର୍ବରୁ ଟୀକାକରଣ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କୋଭିଡ ବିରୋଧରେ ଟୀକାକରଣ ପାଇଁ ସରକାରଙ୍କର କୌଣସି ସ୍ପଷ୍ଟ ରଣନୀତି ନାହିଁ ବୋଲି ଚିଠି ଜରିଆରେ କହିଥିଲେ। କେନ୍ଦ୍ର ସରକାରଙ୍କ ଅବହେଳା ହେତୁ ଭାରତର ସ୍ଥିିତି ଏବେ ଦୟନୀୟ । ସରକାରଙ୍କ ବିଫଳତା ପାଇଁ ଦେଶରେ ପୁଣି ଥରେ ଲକଡାଉନ୍ କରାଯାଇଛି । ଏଭଳି ପରିସ୍ଥିତିରେ ଗରିବ ଲୋକଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦିଆଯିବା ଉଚିତ । ଫଳରେ ଗତବର୍ଷ ଭଳି ଯନ୍ତ୍ରଣା ଜର୍ଜରିତ ଜୀବନ ବିତାଇବାକୁ ପଡ଼ିବନି ବୋଲି କହିଥିଲେ ରାହୁଲ ।