ମାଉଜର ପାଇଁ ରାଜାକୁ ହତ୍ୟା, ଯୋଜନା ବଦ୍ଧ ଭାବେ ହତ୍ୟା କଲେ ୨ ଘନିଷ୍ଠ ବନ୍ଧୁ

ମାଉଜର ପାଇଁ ରାଜାକୁ ହତ୍ୟା, ଯୋଜନା ବଦ୍ଧ ଭାବେ ହତ୍ୟା କଲେ ୨ ଘନିଷ୍ଠ ବନ୍ଧୁ

ବୌଦ୍ଧ: ବୌଦ୍ଧ-ବହୁଚର୍ଚିତ ପ୍ରମୋଦ ପ୍ରସାଦ ( ରାଜା ) ନିଖୋଜ ଘଟଣାରେ ବୌଦ୍ଧ ପୋଲିସକୁ ମିଳିଛି ଏକ ବଡ ସଫଳତା । ମାଉଜର ( ଦେଶି ପିସ୍ତଲ ) ଯୋଗାଣକୁ ନେଇ ତାର ୨ ଘନିଷ୍ଠ ବନ୍ଧୁ ରାଜାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି କହିଛନ୍ତି ଏସ୍‌ପି ଭି ରଘୁନାଥ ରାଓ । ବୌଦ୍ଧ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ଚଳିତ ମାସ ୧୧ ତାରିଖରୁ ରାଜା ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଏତଲା ଦିଆଯାଇଥିଲା । ୧୪ ତାରିଖରେ ଏକ ଶବ ମହାନଦୀ ପଠାରୁ ଉଦ୍ଧାର ହେବା ପରେ ରାଜାର ହତ୍ୟା ହୋଇଥିବା ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ପୋଲିସ ରାଜା ସଂପର୍କରେ ବିଭିନ୍ନ ଦିଗରୁ ତଦନ୍ତ ଚଳାଇବା ପରେ ଶେଷରେ ବହୁଦିନରୁ ଜାରି ରହିଥିବା ସସ୍‌ପେନ୍ସ ଉପରୁ ପରଦା ହଟାଇବାକୁ ସଫଳ ହୋଇଅଛି । ରାଜାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ନେଇ ପ୍ରମାଣ ସଂଗ୍ରହ କରିବାରେ ପୋଲିସ ସଫଳ ହେବା ସହ ଏହି ଘଟଣାରେ ଜଡିତ ୨ ଜଣ ଯୁବକଙ୍କୁ ଗିରଫ କରିଅଛି । ଗିରଫ ହୋଇଥିବା ଯୁବକ ଦ୍ୱୟ ହେଲେ ମିଲନ ପାତ୍ର ଓ ଅଭିଷେକ ସାହାଣୀ । ହତ୍ୟା କରିବା ପରେ ରାଜାର ଶବକୁ ପୋଡି ଦେବା ସହ ନଦୀରେ ଭସାଇ ଦେଇଥିଲେ ।