ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ମୁହାଁମୁହିଁ ହେବେ ସାମସନ୍ ଓ ପନ୍ତ

ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ମୁହାଁମୁହିଁ ହେବେ ସାମସନ୍ ଓ ପନ୍ତ

ମୁମ୍ବାଇ ୧୫/୪: ଆଇପିଏଲ୍ ୨୦୨୧ର ସପ୍ତମ ଲିଗ୍ ମ୍ୟାଚ୍ରେ ଗୁରୁବାର ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ । ପ୍ରଥମ ମ୍ୟାଚ୍ରେ ଅଳ୍ପକେ ବିଜୟ ହାତଛଡ଼ା କରିବା ପରେ ରାଜସ୍ଥାନ ରୟାଲ୍ସ ଗୁରୁବାର ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ ରହିଛି ।
ଦୁଇ ଦଳର ଅଧିନାୟକ ସଞ୍ଜୁ ସାମସନ ଓ ରିଶଭ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର । ଉଭୟ ପ୍ରଥମ ଥର ପାଇଁ ନିଜ ନିଜ ଦଳର ନେତୃତ୍ୱ ନେଉଛନ୍ତି । କାନ୍ଧରେ ଅସ୍ତ୍ରୋପଚାର କରିଥିବା ଶ୍ରେୟାସ ଆୟର ଆଇପିଏଲ୍ ଖେଳୁନଥିବାରୁ ତାଙ୍କ ସ୍ଥାନରେ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ସାମସନ ଗତ ସିଜନର ପ୍ରଦର୍ଶନ ବଳରେ ନେତୃତ୍ୱ ଭାର ପାଇଛନ୍ତି । ଉଭୟ ୱିକେଟ୍ କିପର ଓ ଭାରତୀୟ ଦଳ ୱିକେଟ କିପର ସ୍ଥାନ ପାଇଁ ପ୍ରମୁଖ ଦାବିଦାର । ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ସାମସନ ଶତକ ଅର୍ଜନ କରି କ୍ରିକେଟ୍ ପ୍ରେମୀଙ୍କୁ ଚମତ୍କୃତ କରିଦେଇଥିଲେ । ଶେଷ ବଲ୍ ପର୍ଯ୍ୟନ୍ତ ସେ ଏକୁଟିଆ କ୍ରିଜ୍ରେ ଜମି ରହି ବିଜୟ ପାଇଁ ଲଢେଇ କରିଥିଲେ । ଶେଷରେ ମାତ୍ର ୪ ରନ୍ ପାଇଁ ରୟାଲ୍ସ ଦଳ ପରାଜିତ ହୋଇଥିଲା । ସାମସନଙ୍କ ଇନିଂସକୁ ପ୍ରଶଂସା କରାଯାଇଥିଲା । ଉଭୟ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଗୁରୁବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।ଦିଲ୍ଲୀ କ୍ୟାପିଟାଲ୍ସର ଦଳର ଦୁଇ ପ୍ରମୁଖ ଫାଷ୍ଟ ବୋଲର କାଗିସୋ ରାବାଡା ଓ ଆନରିଚ ନର୍ଜ ଖେଳିବା ନେଇ ଆଶଙ୍କା ରହିଛି । ଉଭୟଙ୍କ କ୍ୱାରେଣ୍ଟାଇନ୍ ଅବଧି ଶେଷ ହୋଇଥିଲେ ହେଁ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ରହିଥିବାରୁ ଉଭୟ ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିପାରି ନାହାନ୍ତି । କରୋନା ସଂକ୍ରମିତ ହୋଇଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଆସନ୍ତା କାଲି ମ୍ୟାଚ୍ରେ ଦେଖିବାକୁ ମିଳିବ ନାହିଁ । ବେନ ଷ୍ଟୋକ୍ସ ଆହତ ହୋଇ ସମ୍ପୂର୍ଣ୍ଣ ଆଇପିଏଲ୍ରୁ ବାଦ ପଡ଼ିବା ପରେ ରାଜସ୍ଥାନ ରୟାଲ୍ସ ତାଙ୍କ ବିକଳ୍ପ ଖୋଜି ପାଇ ନାହିଁ । ତଥାପି ଲାଏମ ଲିଭିଙ୍ଗଷ୍ଟୋନ ଆସନ୍ତା କାଲି ଖେଳିବା ଆଶା କରାଯାଉଛି । ଜୋସ ବଟଲର ପାଳି ଆରମ୍ଭ କରିପାରନ୍ତି । ଦ୍ୱିତୀୟ ଓପନିଂ ସ୍ଥାନକୁ ନେଇ ମନନ ଭୋରା ଓ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଭୋରା ବିଫଳ ହୋଇଥିଲେ ।