ରାଜଧାନୀର ଲୋକଙ୍କ ପାଇଁ ଖୁସି ଖବର : ଆଜିଠୁ ଚଳଚଂଚଳ ମାର୍କେଟ ବିଲଡିଂ, ବଢିବ ଗ୍ରାହଙ୍କ ଗହଳି

ରାଜଧାନୀର ଲୋକଙ୍କ ପାଇଁ ଖୁସି ଖବର : ଆଜିଠୁ ଚଳଚଂଚଳ ମାର୍କେଟ ବିଲଡିଂ, ବଢିବ ଗ୍ରାହଙ୍କ ଗହଳି

ଭୁବନେଶ୍ୱର : ମାର୍କେଟ ବିଲଡିଂ ଉପରେ ଅନେକ ଲୋକ ନିର୍ଭର ହୋଇଥାନ୍ତି । ବିଏମସି ଏବଂ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କ ମଧ୍ୟରେ ୧୮ ଦିନ ଧରି ଲାଗି ରହିଥିବା ବିବାଦ ଆଜି ଥମିଛି । ହେଲେ ଖୋଲିଲାନି ଶୋ’ ରୁମ୍ । ମାର୍କେଟ ବିଲ୍ଡିଂର କେବଳ ରିଟେଲ୍‌ ଦୋକାନ ଗୁଡ଼ିକ ଖୋଲାଯାଇଛି । ମାତ୍ର ମାର୍କେଟ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ଶୋ’ ରୁମ୍‌ ଗୁଡ଼ିକ ଖୋଲାଯାଇନାହିଁ ।

ଜୁଲାଇ ୧୭ ତାରିଖରୁ ବନ୍ଦ ରହିଛି ମାର୍କେଟ୍‌ ବିଲ୍ଡିଂ । ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିକୁ ନେଇ ତେଜିଛି ଅସନ୍ତୋଷ । ବିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିଲା । ମାର୍କେଟ ବିଲ୍‌ଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି ।
ବିଏମସି ଦପ୍ତର ପରିସରରେ ଆଜି ସନ୍ଧ୍ୟାରେ ବୈଠକ ଡକାଯାଇଥିଲେ । ସେହି ବୈଠକରେ ବ୍ୟବସାୟୀଙ୍କୁ ଏକ ଚୁକ୍ତି ପତ୍ର ପ୍ରଦାନ କରାଯାଇଥାନ୍ତା । କିନ୍ତୁ ବର୍ଷା ପାଇଁ ବୈଠକକୁ ବାତିଲ କରାଯାଇଥିଲା । ଚୁକ୍ତି ମୁତାବକ ମାର୍କେଟ ବିଲଡିଂ ସଂଘ ମାର୍କେଟରେ ପୂରା ରକ୍ଷଣବେକ୍ଷଣ କରିବ । ଏନେଇ ପୂର୍ବରୁ ସଂଘ ପକ୍ଷରୁ ପିପିପି ମୋଡରେ ସୌନ୍ଦର୍ଯ୍ୟକରଣ କରାଯାଇଛି । କିନ୍ତୁ ଉଠା ଦୋକାନୀ ଯୋଗୁଁ ଏହି ସବୁ ନଷ୍ଟ ହୋଇଯାଇଥିଲା । ତେଣୁ ସେମାନଙ୍କୁ ହଟାଇବା ଦାବିରେ ପ୍ରାୟ ୧୮ଦିନ ହେବ ମାର୍କେଟ ବିଲଡିଂ ବନ୍ଦ ଥିଲା ।
ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ବିଏମ୍‌ସି ସହ ଆଲୋଚନା ହୋଇଥିଲେ ମଧ୍ୟ ସେଭଳି ସୁଫଳ ମିଳିପାରିନାହିଁ । ହେଲେ ଆଜିଠୁ ମାର୍କେଟ୍ ବିଲ୍‌ଡିଂ ଖୋଲିଥିବା ବେଳେ ସୋ’ ରୁମ୍ ଗୁଡ଼ିକ ଖୋଲାଯାଇନାହିଁ ।