ରାଜ୍ୟରେ ଦେଖାଦେଲାଣି ଭ୍ୟାକ୍ସିନ୍ ଅଭାବ

ରାଜ୍ୟରେ ଦେଖାଦେଲାଣି ଭ୍ୟାକ୍ସିନ୍ ଅଭାବ

ଭୁବନେଶ୍ୱର: ଟିକାକରଣ ନେଇ ରାଜ୍ୟରେ ଏକ ସଙ୍କଟ ଦେଖାଦେଇଛି । ବର୍ତ୍ତମାନ ରାଜ୍ୟରେ ଯେତିକି ପରିମାଣର ଟିକା ଗଚ୍ଛିତ ରହିଛି, ତାହା ଅତିବେଶୀରେ ଦୁଇଦିନ ପର୍ଯ୍ୟନ୍ତ ଟିକାକରଣ ହୋଇପାରିବ । ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କ ଟିକାକରଣ ହୋଇପାରେ ବାଧାପ୍ରାପ୍ତ । ଗତକାଲି ସୁଦ୍ଧା ରାଜ୍ୟରେ କୋଭାକ୍ସିନର ମାତ୍ର ୮୯୮୦ ଡୋଜ୍ ଓ କୋଭିସିଲ୍ଡର ୧୮୬୯୦ ଡୋଜ୍ ରହିଛି । ପ୍ରଶ୍ନ ଉଠୁଛି ତା’ପରେ ପରିସ୍ଥିତି କ’ଣ ହେବ? ତେବେ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟକୁ ଟିକା ଆଣିବାର ପ୍ରୟାସ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।ତେବେ ଯୁବବର୍ଗଙ୍କ ପାଇଁ ଟିକା ଅଭାବ ଦେଖା ଦେଇଥିଲେ ମଧ୍ୟ ବୟସ୍କଙ୍କ ପାଇଁ ଅଭାବ ନାହିଁ । ରାଜ୍ୟରେ ବୟସ୍କଙ୍କ ପାଇଁ ୩.୯୧ ଲକ୍ଷ ପାଖାପାଖି କୋଭାକ୍ସିନ ଓ ପାଖାପାଖି ୪.୪୨ ଲକ୍ଷ କୋଭିସିଲ୍ଡ ଡୋଜ୍ ମହଜୁଦ୍ ରହିଛି । ତେବେ ଟିକାକରଣ ନେଇ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣିକି ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ଆଉ ଘରକୁ ଘର ବୁଲି ଟିକା ଦିଆଯିବ ନାହିଁ । ଜାତୀୟ ସ୍ତରର ବିଶେଷଜ୍ଞ କମିଟି ଘରକୁ ଘର ବୁଲି ଟିକାକରଣ ନେଇ ଆପତ୍ତି ଉଠାଇଛି । ବୟସ୍କ ଓ ଦିବ୍ୟାଙ୍ଗ ଶ୍ରେଣୀଙ୍କ ଘର ନିକଟରେ ଟିକାଦାନ କେନ୍ଦ୍ର ସ୍ଥାପନ ନିମନ୍ତେ ଏହି କମିଟି ପରାମର୍ଶ ଦେଇଥିବା ଜଣାପଡ଼ିଛି ।