ଭୁବନେଶ୍ୱରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁଙ୍କ ମର ଶରୀର

ଭୁବନେଶ୍ୱରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁଙ୍କ ମର ଶରୀର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏବଂ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ଏହାପରେ ତାଙ୍କ ମର ଶରୀରକୁ ବାରଙ୍ଗରେ ଥିବା ସାଇ ରେସିଡେନ୍ସିଆଲ ସ୍କୁଲ, ପରେ ପଟିଆ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ନିଆଯାଇଛି । ସେଠାରୁ ଶାସ୍ତ୍ରୀ ନଗର ଅଣାଯାଇ ନିଜ ବାସଭବନରେ କିଛି ସମୟ ପାଇଁ ରଖାଯିବ । ପରିବାର ଲୋକ ଶେଷ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ କୋଭିଡ ନିୟମ ଅନୁସାରେ ହେବ ଶେଷକୃତ୍ୟ କରାଯିବ । ତେବେ ତାଙ୍କୁ ରାଜ୍ୟ ସମ୍ମାନ ପ୍ରଦାନ କରାଯିବ । କୋଭିଡରୁ ଭଲ ହେବା ପରେ ଫୁସଫୁସ ଜନିତ ରୋଗର ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ସୂଚନାଯୋଗ୍ୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ହେଉଛନ୍ତି ବିଜୟ ସାହୁ । ଏହାସହ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ମଧ୍ୟ ଥିଲେ । କରୋନା ପରବର୍ତ୍ତୀ ଜଟିଳତା ନେଇ କିଛି ଦିନ ହେବ ସେ ଗୁରୁତର ଥିଲେ । ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ତାଙ୍କର ପରଲୋକ ନେଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଥିଲେ ।ବିଜୟ ସାହୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବିଜୟଙ୍କ ବିୟୋଗ ଖବର ନେଇ ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷା କ୍ଷେତ୍ରରେ ଦିଂବଗତ ବିଜୟ ସାହୁଙ୍କ ଅବଦାନକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟ ସାହୁଙ୍କ ଅକାଳ ବିୟୋଗ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଓଡ଼ିଶାରେ ବିଶ୍ୱସ୍ତରୀୟ ସ୍କୁଲ କରି ବିଜୟ ସାହୁ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ବୋଲି ବୈଜୟନ୍ତ ଟ୍ୱିଟ୍ କରିଥିଲେ ।