ଭଞ୍ଜନଗର-ଆସିକା ରାସ୍ତା ପାଇଁ ୮୭ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ଭଞ୍ଜନଗର-ଆସିକା ରାସ୍ତା ପାଇଁ ୮୭ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ଭଞ୍ଜନଗର/ଆସିକା,୨୮/୦୫: ଭଞ୍ଜନଗରରୁ ଆସିକା ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା । ପ୍ରତିଦିନ ଏହି ରାସ୍ତା ଉପରେ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳପ୍ରଚଳ କରୁଛି । ଏହି ରାସ୍ତା ଉପରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ନିର୍ଭର କରି ଚଳୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତ ନିର୍ମାଣ ଯୋଜନାରେ ସାମିଲ ହୋଇଛି ଭଞ୍ଜନଗର-ଆସିକା ରାସ୍ତା । ୧୫୭ ନମ୍ୱର ଜାତୀୟ ରାଜପଥ ଅନ୍ତର୍ଗତ ଏହି ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି । ଡବଲ୍ ଲାଇନ୍ ପାଇଁ ମୋଟ ୮୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।ଏହା ଗଞ୍ଜାମ ଜିଲ୍ଲାର ଅନ୍ୟତମ ମୁଖ୍ୟ ବ୍ୟବସାୟିକ ରାସ୍ତା ଭାବେ ବେଶ ପରିଚିତ । ଦୀର୍ଘଦିନରୁ ଏହା ଅଣଓସାରିଆ ହୋଇ ରହିଥିଲା । ୧୦ ବର୍ଷ ତଳେ ଏହି ରାସ୍ତାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦ କୋଟି ବ୍ୟୟରେ ଏହି ରାସ୍ତାର ପୁନରୁଦ୍ଧାର କରାଯାଇ ଏହାର ପ୍ରଶସ୍ତୀକରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସର୍ଭେ କରାଯାଇ ଏହି ରାସ୍ତାକୁ ଡବଲ୍ ଲାଇନ୍ କରାଯିବା ସହ ଏହି ରୋଡକୁ ସ୍ପିଡ୍ ରୋଡ ଭାବେ ପରିଣତ କରାଯିବାକୁ ଏକ ପ୍ରସ୍ତାବ ଦିଆଯାଇଥିଲା ।ପ୍ରସ୍ତାବ ପ୍ରକାରେ ଏହି ରାସ୍ତାକୁ ଦୁଇଥାକିଆ କରାଯାଇ ଏହାର ଉଭୟ ପଟରେ ଚଲାରାସ୍ତା ନିର୍ମାଣ କରାଯିବା ପ୍ରସ୍ତାବ ରହିଥିଲା । ଗ୍ରାମାଞ୍ଚଳ ନିକଟରେ ରାସ୍ତାର ଉଭୟ ପଟେ ସିମେଣ୍ଟ କଂକ୍ରିଟ୍ ବାଡ ନିର୍ମାଣ କରାଯିବାକୁ ମଧ୍ୟ ଏଥିରେ ପ୍ରସ୍ତାବ ରହିଥିଲା । ଏହି ପ୍ରସ୍ତାବ ଶୀତଳ ଭଣ୍ଡାରରେ ପଡିରହିଥିବାବେଳେ ଏବେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତ ନିର୍ମାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିଛି । ଏହି ରାସ୍ତା ଡବଲ ଲାଇନ୍ ବିଶିଷ୍ଟ ହେବ । ରାସ୍ତାର ଉଭୟ ପଟେ ଡ୍ରେନେଜ ଓ ପାଦଚଲା ରାସ୍ତା ମଧ୍ୟ ନିର୍ମାଣ ହେବ ।