ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛନ୍ତି ଡକ୍ଟର୍ସ ଆସୋସିଏସନ

ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛନ୍ତି ଡକ୍ଟର୍ସ ଆସୋସିଏସନ

ନୂଆଦିଲ୍ଲୀ: ଆଜି ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛି ଫେଡେରସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ । ଏଲୋପାଥି ବୟାନକୁ ନେଇ ବଢ଼ୁଛି ବାବା ରାମଦେବଙ୍କ ଅଡ଼ୁଆ । ତେବେ ଆଜିର ଏହି କଳା ଦିବସ ପାଳନରେ କୌଣସି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେବନାହିଁ ବୋଲି କହିଛି ସଂଘ । ଗତ କିଛିଦିନ ହେବ ଏଲୋପାଥିକୁ ନେଇ କିଛି ବିବାଦୀୟ ବୟାନ ଦେଇଥିଲେ ବାବା ରାମଦେବ । ଯାହାକୁ ଇଣ୍ଡିଆନ ମେଡିକାଲ ସଂଘ ଦୃଢ଼ ବିରୋଧ କରିବା ସହ ଦିଲ୍ଲୀରେ ବାବାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା । ଏତଲାରେ ବାବା ଟିକାକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ଦର୍ଶାଯାଇଛି । ଏଲୋପାଥି ଖାଇ ଲୋକେ ପ୍ରାଣ ହରାଉଛନ୍ତି । ରୋଗୀ ଅକ୍ସିଜେନ ନ ପାଇବା ଭଳି ସଙ୍ଗୀନ ଅଭିଯୋଗ ସଂଘ ପକ୍ଷରୁ କରାଯାଇଥିଲା । ତା’ସହ ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ଇଣ୍ଡିଆନ ମେଡିକାଲ ସଂଘ । ସେପଟେ ବାବାଙ୍କ ଏପରି ବିବୃତିକୁ ନେଇ ଡାକ୍ତର ସଂଘ ଆଜି କଳାଦିବସ ପାଳୁଥିବା ବେଳେ, ବାବା ରାମଦେବ ବ୍ଲାକ ଫଙ୍ଗସକୁ ନେଇ ପୁଣି ତାଙ୍କର ବିବୃତି ରଖିଛନ୍ତି । ବାବା କହିଛନ୍ତି କି ଖୁବ୍‌ଶୀଘ୍ର ବ୍ଲାକ ଫଙ୍ଗସ ପାଇଁ ଆସୁଛି ଆୟୁର୍ବେଦିକ ଔଷଧ । ଏହି ଔଷଧର ପ୍ରସ୍ତୁତି ଆଗାମୀ ସପ୍ତାହ ମଧ୍ୟରେ ଶେଷ ହେବ । ଏହି ଔଷଧ ଦ୍ବାରା ବ୍ଲାକ୍‌, ହ୍ବାଇଟ୍‌ ଓ ୟେଲୋ ଫଙ୍ଗସ ଭଲ ହୋଇପାରିବ ।