ଆଜି ବାଜିବ ସାଧାରଣ ନିର୍ବାଚନ ବିଗୁଲ୍, ତାରିଖ ଘୋଷଣା ହେବ

ଜି ବାଜିବ ୨୦୨୪ ନିର୍ବାଚନ ବିଗୁଲ୍। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ? କେତେଟି ପର୍ଯ୍ୟାୟରେ ଏଥର ହେବ ମତଦାନ ?ଭୋଟ୍ ସରିବାର କେତେ ଦିନ ପରେ କାଉଣ୍ଟିଂ ? ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସବୁର ସ୍ପଷ୍ଟ ଉତ୍ତର ମିଳିଯିବ ଶନିବାର ଅପରାହ୍ନ ୩ଟାରେ। ତେବେ ଗତଥର ଭଳି ଏଥର ବି ସବୁ ଲୋକସଭା ଆସନ ସହ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ଓ ସିକିମ୍ ଆସେମ୍ଲି ପାଇଁ ଏକାସାଙ୍ଗେ ଇଲେକ୍ସନ ହେବ ନା ଜାମ୍ମୁ ଓ କାଶ୍ମୀର ବି ମିଶିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଓଡ଼ିଶାରେ ଲୋକସଭା ସହ ଏକାସାଙ୍ଗେ ହେବ ବିଧାନସଭା ନିର୍ବାଚନ। ତେଣୁ ଏଥର କେତେ ପର୍ଯ୍ୟାୟରେ ହେବ ଭୋଟ୍ ତାକୁ ନେଇ ବି ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଯେହେତୁ ଗତଥର ୪ଟି ପର୍ଯ୍ୟାୟ ଯଥାକ୍ରମେ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ମତଦାନ ହୋଇଥିଲା। ତେଣୁ ଏଥର ସେତିକି ପର୍ଯ୍ୟାୟ ନା ସମାନ ତାରିଖ ରହିବ ? ତାକୁ ନେଇ ବି ଉଠିଛି ପ୍ରଶ୍ନ। ତଥ୍ୟ କହୁଛି ୨୦୧୯ ସାଧାରଣ ନିର୍ବାଚନବେଳେ ଓଡ଼ିଶାରେ ୩ କୋଟି ୨୨ଲକ୍ଷ ଭୋଟର ଥିବାବେଳେ ୨୦୨୪ରେ ଏ ସଂଖ୍ୟା ପହଞ୍ଚିଛି ୩କୋଟି ୩୨ ଲକ୍ଷରେ। ଯାହାଙ୍କ ମଧ୍ୟରୁ ଯାହାଙ୍କ ମଧ୍ୟରୁ ପୁରୁଷ ଭୋଟର ୧ କୋଟି ୬୮ଲକ୍ଷ, ମହିଳା ୧ କୋଟି ୬୪ ଲକ୍ଷ ଓ ତୃତୀୟ ଲିଙ୍ଗିଙ୍କ ସଂଖ୍ୟା ୩ ହଜାର ୩୮୦। ସେହିପରି ନୂଆ କରି ଭୋଟର ତାଲିକାକୁ ଉଠିଛନ୍ତି ୭ଲକ୍ଷ ୫୪ ହଜାର ମତଦାତା। ଆଜି ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ହେବ। ଏଣେ ମେଣ୍ଟ ଦ୍ୱନ୍ଦ୍ୱ ତୁଟୁନି, କି ଟିକେଟ୍ ଫାଇନାଲ୍ ହୋଇନି। ଅଥଚ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଭୋଟ୍ ପାଇଁ ପୁରା ପ୍ରସ୍ତୁତ ଥିବା କହିଲେଣି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ।