ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା …

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ।ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଓଡ଼ିଶାର ସୁଦୃଢ ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତଃପ୍ରୋତ ଭାବେ ଜଡ଼ିତ । ଏଥିପାଇଁ ଚଳଚଂଚଳ ସାରା ଓଡ଼ିଶା । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳୁମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି ।

“ଆ, କା, ମା, ଭୈ”ର ଅର୍ଥ ଆ-ଆକାଶ, କା-ଜଳ,ମା-ନାହିଁ, ଭୈ-ଭୟ । ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପରେ ଆଉ ପବନ ବର୍ଷାର ଭୟ ନାହିଁ । ସେଥିପାଇଁ ଏହି ସମୟରେ ସାଧବମାନେ ନୌବାଣିଜ୍ୟ କରୁଥିଲେ । ସାମୁଦ୍ରିକ ଝଡର ଭୟ ନ ଥିବାରୁ ସେମାନଙ୍କ ଯାତ୍ରା ସଫଳ ହେଉଥିଲା । ଆମର ଧାର୍ମିକ ପରମ୍ପରାରେ ‘କା-ମା-ବୈ’ ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟ ପାଳନର ବ୍ୟବସ୍ଥା ଅଛି । ଏହି ତିନି ମାସକୁ ନେଇ ‘ମାହାତ୍ମ୍ୟ’ ମାନ ମଧ୍ୟ ରଚିତ ହୋଇଛି । କିନ୍ତୁ ‘ଆ’ ଅର୍ଥାତ୍ ଆଷାଢ଼ ମାସରେ ହବିଷ୍ୟ ପାଳନର ବିଧାନ ଆମ ପରଂପରାରେ ନଥିଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଦୃଷ୍ଟିରୁ ଏହାକୁ ପବିତ୍ର ମାସ ରୂପେ ଗ୍ରହଣ କରାଯାଇଥାଏ ।

ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆ ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଠାରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବହୁ ଭିଡ ଦେଖିବାକୁ ମିଳିଛି। ଏହି ଘାଟ ପୁରାଣ କିମ୍ବଦନ୍ତୀ ଅନୁସାରେ ପବିତ୍ର ସ୍ଥାନ ହୋଇଥିବା ବେଳେ ଶହଶହ ଲୋକେ ଏହି ଠାରେ ଏକତ୍ରିତ ହୋଇ ଧର୍ମ ମାସର ପୂଣ୍ୟପ୍ରାପ୍ତି ପାଇଁ ବୈତରଣୀ ଜଳରେ ଡଙ୍ଗ‌ା ଭସାଉଥିବା ଦେଖିବାକୁ ମିଳିଛି। ଯାଜପୁର ସହର ସମେତ ପାଖଆଖ ଅଂଚଳରୁ ଶ୍ରଦ୍ଧାଳୁ ଏଠାରେ ଡଙ୍ଗା ଭସାଇବା ସହ ନଦୀ ସଂଲଗ୍ନ ପ୍ରଭୁ ଜଗନ୍ନାଥ, ମା ବୈତରଣୀ.ସପ୍ତମାତୃକା, ବରାହ ମନ୍ଦି‌ରରେ ପ୍ରଭୁଙ୍କ ଦର୍ଶନ କରୁଛନ୍ତି। ବହୁ ସଂଖ୍ୟାରେ ଜନ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପୌରପାଳିକା ପକ୍ଷରୁ ସଫେଇ କରାଯିବା ସହ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି।

ସେହିପରି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବେଶ ଚଳଚଞ୍ଚଳ ଆଠଗଡ଼ର ବାବା ଧବଳେଶ୍ଵରଙ୍କ ପୀଠ । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ବାବା ଧବଳେଶ୍ଵରଙ୍କ ପୀଠରେ ଥିବା ମହାନଦୀ ଘାଟରେ ଡଙ୍ଗା ଭଷାଣ କରିବା ସହ ବାବାଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।