Quantum Mirror

ମିଳିମିିଶି ନବୀନ-ମୋଦି (ନମୋ) ଓଡିଶାକୁ ଶୋଷିନେଲେ ୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡିଶା କୈଫତ୍ ମାଗିଲା କଂଗ୍ରେସ

ମିଳିମିିଶି ନବୀନ-ମୋଦି (ନମୋ) ଓଡିଶାକୁ ଶୋଷିନେଲେ ୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡିଶା କୈଫତ୍ ମାଗିଲା କଂଗ୍ରେସ

ଭୁବନେଶ୍ୱର : ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠାରୁ ଓଡିଶାରେ ‘ନମୋ’ ଅର୍ଥାତ୍ ନବୀନ – ମୋଦିଙ୍କ ଅଘୋଷିତ ମେଂଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଂଚାଇଥିବାର ସଂଗୀନ ଅଭିଯୋଗ କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ ଏ ସଂପର୍କରେ ତଥ୍ୟ ପ୍ରଦାନ କରି କହିଥିଲେ ଯେ ଗତ ୬ ବର୍ଷ ଭିତରେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାର ସମୟରେ ଓଡିଶା ତାହାର ନ୍ୟାଯ୍ୟ ଦାବି ତଥା ନିଜ ପ୍ରାପ୍ୟ ବାବଦକୁ ୭୨ ହଜାର କୋଟି ଟଙ୍କା ହରାଇଛି । ବିଗତ କିଛି ବର୍ଷ ଭିତରେ ମୋଦିଙ୍କର ପ୍ରତ୍ୟେକ ନିଷ୍ପତିକୁ, ଯେତେ କ୍ଷତିକାରକ ଓ ଲୋକବିରୋଧି ହେଲେ ମଧ୍ୟ ନବୀନ ବାବୁ ଓ ତାଙ୍କ ଦଳ ଖୋଲାଖୋଲି ସମର୍ଥନ ଜଣାଉଛନ୍ତି । ସେ ବିମୁଦ୍ରାୟନ ହେଉ ଅବା ଜିଏସ୍‌ଟି, ଚାଷୀ ଚାଷ ସଂପର୍କିତ ଆଇନ୍ ଅବା କୋଇଲା ନିଲାମ ଓ ସିଏଏ ସଂପର୍କିତ ଆଇନ୍ ହେଉ, ସବୁଥିରେ ନବୀନ – ମୋଦିଙ୍କ ଡବଲ ଇଞ୍ଜିନ୍‌ର ସରକାର ଏକାଠି କାର୍ଯ୍ୟ କରୁଛନ୍ତି । ବିଜେପି ନେତାଙ୍କୁ ଓଡିଶାରୁ ରାଜ୍ୟସଭାକୁ ପଠାଇବାରେ ନବୀନବାବୁଙ୍କ ଅକୁଣ୍ଠ ସାହାଯ୍ୟ ସାରା ଓଡିଶା ଦେଖିଛି । ଏ ଭିତରେ ଓଡିଶାର ଋଣ ପରିମାଣ ୧ ଲକ୍ଷ ୨୫ ହଜାର କୋଟିରେ ପହଂଚିଲାଣି । ଆଳୁ, ପିଆଜି ଓ ପେଟ୍ରୋଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅତ୍ୟଧିକ ଦରଦାମ୍ ବୃଦ୍ଧି ସାଧାରଣ ଜନତାକୁ ହନ୍ତସନ୍ତ କରୁଛି ଏବଂ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ାଇ ଦେଇଛି । ଓଡିଶାର କେବିକେ ଯୋଜନାକୁ ମୋଦି ସରକାର ବନ୍ଦ କଲେ । ରାଜ୍ୟର କିରୋସିନି କୋଟାକୁ କେନ୍ଦ୍ର କମାଇ ଦେଲା, କିନ୍ତୁ ନବୀନ ବାବୁ ଚୁପ୍ । ଓଡିଶାରେ ବେକାରୀ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇ ଜାତୀୟ ହାର ଠାରୁ ଉପରେ ରହିଛି । ବେକାରୀ ସ୍ଥିତି ଏତେ ସଂଗୀନ ଯେ ଶିକ୍ଷିତ ଯୁବକ ଯୁବତୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ସୁଝିବାକୁ ଅକ୍ଷମ । ରାଜ୍ୟରେ ବ୍ୟାଙ୍କ ଋଣର ୧୪ ପ୍ରତିଶତ ହେଉଛି କେବଳ ଶିକ୍ଷା ଋଣ । ଠିକ୍ ସେହିପରି କୃଷକ ଦାରିଦ୍ର ହେତୁ ବ୍ୟାଙ୍କରୁ ନେଇଥିବା ଋଣ ସୁଝିପାରୁ ନାହାନ୍ତି ଏବଂ ଏହାର ପରିମାଣ ମୋଟ୍ ଏନ୍‌ପିଏର ପାଖାପାଖି ୧୪ ପ୍ରତିଶତ । ଏହା ରାଜ୍ୟର ସାଧାରଣ ଜନତାଙ୍କର ଅତ୍ୟନ୍ତ ଶୋଚନୀୟ ଆର୍ଥିକ ସ୍ଥିତିକୁ ସୂଚାଉଛି । ଓଡିଶାର ସାମ୍ବିଧାନିକ ହକ୍ ଜିଏସ୍‌ଟି ବାବଦରେ ୨୦୧୯-୨୦ ମସିହା ପାଇଁ ଏ ପର୍ଯ୍ୟନ୍ତ ୮୦୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ । ୨୦୨୦-୨୧ ମସିହା ପାଇଁ ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ଓଡିଶା ଜିଏସ୍‌ଟି ବାବଦକୁ ୩୬୪୭ କୋଟି ଟଙ୍କା କେନ୍ଦ୍ର ଠାରୁ ପାଇବାର ଅଛି । କିନ୍ତୁ ନବୀନ ବାବୁ ଏ ବିଷୟରେ କେନ୍ଦ୍ର ସମ୍ମୁଖରେ କୌଣସି ଦାବି ନ ଜଣାଇ ପୁନର୍ବାର ଋଣ କରିବା ପାଇଁ ନିଜର ସମ୍ମତି ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରର ସମଗ୍ର ଦେଶ ପାଇଁ ୩୬୪୦୦ କୋଟି ଟଙ୍କା ମଧ୍ୟରୁ ଓଡିଶାକୁ କେତେ ମିଳିଲା ସେ ବିଷୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସାମ୍‌ନାରେ ତଥ୍ୟ ରଖିବା ପାଇଁ ଶ୍ରୀ କାନୁନ୍‌ଗୋ ଆହ୍ୱାନ ଦେଇଛନ୍ତି । ବିଗତ ୬ ବର୍ଷ ଧରି ଲୁହାପଥର ରୟାଲିଟିର ଦର ବୃଦ୍ଧି କରାଗଲା ନାହିଁ ଓ ଏ ବାବଦରେ ରାଜ୍ୟ ପାଖାପାଖି ୪ ହଜାର କୋଟି ଟଙ୍କା ହରାଇଲା । ଠିକ୍ ସେହିଭଳି କୋଇଲା ରୟାଲିଟିର ଦର ବିଗତ ୬ ବର୍ଷ ଧରି ପୁନଃସମୀକ୍ଷା କରାଯାଇନାହିଁ, ଯାହା ପାଇଁ ଓଡିଶା ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏତଦ୍‌ବ୍ୟତୀତ ନ୍ୟାସନାଲ୍ କ୍ଲିନ୍ ଏନର୍ଜି ଫଣ୍ଡ ବାବଦକୁ ଯେଉଁ ସେସ୍ ଆଦାୟ ହେଉଛି ସେଥିରୁ ଓଡିଶାର ଅଂଶ ବାବଦକୁ ରାଜ୍ୟ ବର୍ଷକୁ ପାଖାପାଖି ୮ ହଜାର କୋଟି ଟଙ୍କା ହରାଉଛି । ଦୁଃଖର ସହିତ କହିବାକୁ ପଡୁଛି ଯେ ଜିଏସ୍‌ଟିର କ୍ଷତିପୂରଣ ସେସ୍ ଓ ଅର୍ଥ କମିଶନଙ୍କ ଆବଂଟନ ପ୍ରକ୍ରିୟାରେ ରାଜ୍ୟର ଅଂଶ ବାବଦକୁ ଓଡିଶା ହଜାର ହଜାର କୋଟି ଟଙ୍କାର ନିଜସ୍ୱ ହକ୍ ବିଗତ ୬ ବର୍ଷ ଭିତରେ ହରାଇଛି । ଉପରୋକ୍ତ ତଥ୍ୟରୁ ଏକଥା ସ୍ପଷ୍ଟ ଯେ ସମଦୂରତାର କଥା କହୁଥିବା ନବୀନ ବାବୁ ନିଜର ଦଳୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ସମ୍ମୁଖରେ ଓଡିଶାର ନ୍ୟାଯ୍ୟ ଦାବି ଓ ହକ୍‌କୁ ଉଥାପ୍‌ନ କରିବାରେ ସଂପୂର୍ଣ୍ଣ ରୂପେ ଫେଲ୍ ମାରିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×