Quantum Mirror

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ୨୮ ଯାଏ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ୨୮ ଯାଏ ପ୍ରବଳ ବର୍ଷା

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ । ଆସନ୍ତା ୩ ଦିନ ଧରି ଲାଗି ରହିବ ବର୍ଷା । ମଙ୍ଗଳବାର, ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷିବ । ଆଜିଠୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହାବାଦ୍ ଆଉ ୮ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବୁଧବାର ଉପକୂଳ ଅଞ୍ଚଳରେ ବର୍ଷା କମିବ । ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ । ଲଗାଣ ବର୍ଷାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷାରେ ତଳି ଇଲାକାରେ ପାଣି ପଶିପାରେ । କେତେକ ସ୍ଥାନରେ ଅଚାନକ ବନ୍ୟା ସ୍ଥିତି ଉପୁଜିପାରେ । କଚ୍ଚା ଘର ନଷ୍ଟ ହେବା ସହ ରାସ୍ତା ବିଚ୍ଛିନ୍ନ ହେବା ଆଶଙ୍କା ଅଛି । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷା ନଥିଲା । ରାତିରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । ଆଇଏମ୍ଡି ସତର୍କ କରାଇ ଦେଇଛି,ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଅନେକ ସ୍ଥାନରେ ୧୧୫ ମିମିରୁ ୨୦୦ ମିମି ପର‌୍ୟ୍ୟନ୍ତ ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ୨୦୫ ମିଲିମିଟରରୁ ଅଧିକ (ଅତି ପ୍ରବଳ ବର୍ଷା) ହୋଇପାରେ ।ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅର୍ଥାତ୍ ୬୪ ମିମିରୁ ୧୧୫ ପର‌୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି ଅନେକ ସ୍ଥାନରେ ।
ବୁଧବାର ଉପକୂଳରେ ବର୍ଷା ପରିମାଣ କମିବ। ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ଦେବଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। କେତେକ ଜାଗାରେ ଅତି ପ୍ରବଳ (୨୦୫ ମିମିରୁ ଅଧିକ) ବର୍ଷା ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ ଓ କେନ୍ଦୁଝରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।
ଗୁରୁବାର ବର୍ଷା ପରିମାଣ ସାମାନ୍ୟ କମିବ। ତଥାପି ବରଗଡ଼, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ଯୋଗୁ ଆସନ୍ତା ୨୭ ତାରିଖ ପର‌୍ୟ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୨୮ ତାରିଖ ପର‌୍ୟ୍ୟନ୍ତ ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଦେବଗଡ଼ ଓ ଝାରସୁଗୁଡ଼ାରେ ସମୁଦାୟ ୧୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ଅଛି। ପଶ୍ଚିମ ସୀମାନ୍ତ ଜିଲ୍ଲାର କେତେକ ସ୍ଥାନରେ ୮୦ରୁ ୧୦୦ ମିମି ଓ ବାକି ଅଞ୍ଚଳରେ ୬୦-୮୦ ମିମି ପର‌୍ୟ୍ୟନ୍ତ ବର୍ଷା ହୋଇପାରେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×