୧୮-୪୪ ବର୍ଷ ବର୍ଗଙ୍କ ଟିକାଦାନ ଲାଗି ରାଉରକେଲାରେ ଖୋଲିଲା ଆଉ ୨ଟି କେନ୍ଦ୍ର
୧୮-୪୪ ବର୍ଷ ବର୍ଗଙ୍କ ଟିକାଦାନ ଲାଗି ରାଉରକେଲାରେ ଖୋଲିଲା ଆଉ ୨ଟି କେନ୍ଦ୍ର
ରାଉରକେଲା, ୨୦ ମେ’ ୨୦୨୧: ରାଉରକେଲା ସହରରେ ୧୮ରୁ ୪୪ ବର୍ଷ ବର୍ଗଙ୍କ କୋଭିଡ୍ ଟିକାକରଣ ଲାଗି ଆଜି ଆଉ ୨ଟି ଅତିରିକ୍ତ କେନ୍ଦ୍ର ଖୋଲାଯାଇଛି। ମହାନଗର ନିଗମ ପକ୍ଷରୁ ଉଦିତ ନଗରସ୍ଥିତ ମ୍ୟୁନିସିପାଲ କଲେଜ ଏବଂ ସେକ୍ଟର-୧୮ସ୍ଥିତ ସୋସିଆଲ ହୋମଠାରେ ଏହି କେନ୍ଦ୍ର ଖୋଲିଛି। କୋଭିଡ୍ ନିୟମ ମାନି ଯୁବପିଢ଼ି କେନ୍ଦ୍ରକୁ ଆସି ଟିକା ନେଇଛନ୍ତି। ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଟିକାଦାନ କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି ତଦାରଖ କରିଥିଲେ।
ଏହି ନୂଆ ଟିକାଦାନ କେନ୍ଦ୍ରରେ ହିତାଧିକାରୀଙ୍କ ସୁବିଧା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। କେନ୍ଦ୍ରରେ ପିଇବା ପାଣିର ସୁବିଧା ସହିତ ନିରୀକ୍ଷଣ କକ୍ଷ ଏବଂ ବସିବା ଲାଗି ବ୍ୟବସ୍ଥା କରାଯାଇଥିଲା। ମୁହଁରେ ମାସ୍କ ପିନ୍ଧି, ପରସ୍ପରଠାରୁ ଶାରୀରିକ ଦୂରତା ରକ୍ଷା କରି ଯୁବପିଢ଼ି ଟିକା ନେଇଥିଲେ। ଏଥିପାଇଁ ସେମାନେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଜଣାଇଛନ୍ତି।
ସେହିପରି କୋଏଲ ନଗର ‘ସି’ ବ୍ଲକସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ଏବଂ ଷ୍ଟିଲ ଟାଉନସିପର ଆମବାଗାନସ୍ଥିତ ଭଞ୍ଜ ଭବନଠାରେ ୨୪ ତାରିଖରୁ ଆଉ ୨ଟି ନୂତନ ଟିକାକରଣ କେନ୍ଦ୍ର ଚାଲିବ। ଏହାକୁ ମିଶାଇଲେ ସହରରେ ମୋଟ ୧୨ଟି ଟିକାକରଣ କେନ୍ଦ୍ର ହେବ। ଏହି ନୂତନ ୪ଟି କେନ୍ଦ୍ର ଲାଗି ମେ’ ୨୮ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହି ଟିକାକରଣ ସୂଚୀ ପ୍ରସ୍ତୁତ କରାଯାଇଛି।