Quantum Mirror

ରାଉରକେଲାରେ ଘର ଘର ବୁଲି ଶଯ୍ୟାଶାୟୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେଉଛି ‘ସଞ୍ଜୀବନୀ ରଥ’

ରାଉରକେଲାରେ ଘର ଘର ବୁଲି ଶଯ୍ୟାଶାୟୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେଉଛି ‘ସଞ୍ଜୀବନୀ ରଥ’

ରାଉରକେଲା, ୧୯ ମେ‘ ୨୦୨୧: ରାଉରକେଲା ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ବିଶେଷ ପଦକ୍ଷେପ ନିଆଯାଇଛି। ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି, ସେମାନଙ୍କୁ ତାଙ୍କ ଘରେ ପହଂଚି ଟିକା ଦେଉଛି “ସଞ୍ଜୀବନୀ ରଥ‘ ଟିମ୍। ମଙ୍ଗଳବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୬ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

 “ସଞ୍ଜୀବନୀ ରଥ ମାଧ୍ୟମରେ ଆମେ ଶଯ୍ୟାଶାୟୀ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ କୋଭିଡ୍ ଟିକାକରଣ ପାଇଁ କେନ୍ଦ୍ରକୁ ଆସିପାରୁନାହାନ୍ତି, ସେମାନଙ୍କ ଘରକୁ ଯାଇ କୋଭିଡ୍ ଟିକା ଦେଉଛୁ । ହିତାଧିକାରୀମାନେ ଏହି ସେବା ପାଇ ବହୁତ ଖୁସି”, କହିଛନ୍ତି ‘ସଞ୍ଜୀବନୀ ରଥ’ ଟିମ୍‌ରେ ଥିବା ଫାର୍ମାସିଷ୍ଟ ସୁଶାନ୍ତ ପ୍ରଧାନ।

 “ମୋ ଶାଶୂ ଦୀର୍ଘ ୨୫ ବର୍ଷ ହେଲା ଶଯ୍ୟାଶାୟୀ ଅଛନ୍ତି। ଏଭଳି ସ୍ଥିତିରେ ‘ସଞ୍ଜୀବନୀ ରଥ’ ଟିମ୍ ଆମ ଘରକୁ ଆସି ଶାଶୂଙ୍କୁ ଟିକା ଦେଲେ । ସୁନ୍ଦରଗଡ଼ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ”, କହିଛନ୍ତି ରାଉରକେଲା କୋଏଲନଗରର ୮୩ ବର୍ଷୀୟ ହିତାଧିକାରୀ ମାଧୁରୀ ପାଢ଼ୀଙ୍କ ବୋହୂ ରାଜଶ୍ରୀ ପାଢ଼ୀ।

 “ମୋର ଆଶା ନଥିଲା ଯେ ମୁଁ ମୋ’ ମା’କୁ କୋଭିଡ୍ ଟିକା ଦେଇ ପାରିବି। କିନ୍ତୁ ରାଉରକେଲା ମହାନଗର ନିଗମର ସୋସିଆଲ ମିଡିଆରୁ ନମ୍ବର ପାଇ ମୁଁ ଆଜି ସକାଳେ କଲ୍ ସେଣ୍ଟରକୁ ଫୋନ୍ କରିଥିଲି। ସଞ୍ଜୀବନୀ ରଥ ଟିମ୍ ଅପରାହ୍‌ଣରେ ଆମ ଘରକୁ ଆସି ମା’କୁ ଟିକା ଦେଇଗଲେ। ଏଥିପାଇଁ ମୁଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି’’, କହିଛନ୍ତି ରାଉରକେଲା ଜଗଦା ଅଞ୍ଚଳର ସଂଗ୍ରାମ ଦାସ। ତାଙ୍କ ମା’ ୮୧ ବର୍ଷୀୟା ତିଳୋତ୍ତମା ଦାସ, କିଛି ମାସ ହେଲା ଶଯ୍ୟାଶାୟୀ ଅଛନ୍ତି।

 “ମୋ ପୁଅ କଲ୍ ସେଣ୍ଟରକୁ ଫୋନ୍ କରିଥିଲା। ‘ସଞ୍ଜୀବନୀ ରଥ’ ଘରକୁ ଆସିଲା ଓ ମୁଁ କୋଭିଡ୍ ଟିକା ନେଲି। ମୋ’ ଭଳି ଲୋକ ଯେଉଁମାନେ ଚଳପ୍ରଚଳରେ ବହୁତ କଷ୍ଟ ହେଉଛି, ସେମାନଙ୍କ ପାଇଁ ଏହି ସେବା ବହୁତ ବଡ଼ କଥା। ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପ ପାଇଁ ମୁଁ କୃତଜ୍ଞ”, କହିଛନ୍ତି ରାଉରକେଲା ଜଗଦା ଅଞ୍ଚଳର ହିତାଧିକାରୀ ଅଞ୍ଜଳି ପଟ୍ଟନାୟକ।

 “ରାଉରକେଲା ମହାନଗର ନିଗମବାସୀଙ୍କ ସୁବିଧା ପାଇଁ ‘ସଞ୍ଜୀବନୀ ରଥ’ ଆରମ୍ଭ କରାଯାଇଛି। ଆମ ଟିମ୍ ସୂଚନା ପାଇ ଶଯ୍ୟାଶାୟୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରେ ପହଂଚି କୋଭିଡ୍ ଟିକା ଦେଉଛନ୍ତି। ଯେଉଁ ହିସାବରେ ଆମକୁ ଟିକା ମିଳୁଥିବ, ସେହି ଅନୁଯାୟୀ ଆମେ ଏହି କାର୍ଯ୍ୟକ୍ରମ ଜାରି ରଖିବୁ ଏବଂ ଅଧିକରୁ ଅଧିକ ହିତାଧିକାରୀ କିଭଳି ସୁବିଧା ପାଇବେ, ସେଥିପାଇଁ ଆମେ ଧ୍ୟାନ ଦେଉଛୁ”, କହିଛନ୍ତି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା।

 ରାଉରକେଲା ମହାନଗର ନିଗମ ଅଞ୍ଚଳରେ ‘ସଞ୍ଜୀବନୀ ରଥ’ ୧୮ ମେ’ରୁ ଶୁଭାରମ୍ଭ କରାଯାଇଛି। ଏହି ଟିମ୍ ସହରର ବିଭିନ୍ନ ସ୍ଥାନକୁ ଯାଇ ଘରେ ଟିକା ନେବାକୁ ଅନୁରୋଧ କରୁଥିବା ଶଯ୍ୟାଶାୟୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟିକା ଦେଉଛନ୍ତି। ଏଥିରେ ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଏଏନଏମ୍ କର୍ମୀ ସାମିଲ ରହିଛନ୍ତି। କୋଭିଡ୍‌ର ପ୍ରଥମ ଲହରୀ ବେଳେ ମଧ୍ୟ ରାଉରକେଲାରେ ସଞ୍ଜୀବନୀ ରଥ ଗଡ଼ିଥିଲା। ସେତେବେଳେ ଏହାର ଟିମ୍ ୫ ହଜାରରୁ ଅଧିକ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସେବା ପହଞ୍ଚାଇଥିଲା।

 ଏହି ସେବା ପାଇବା ପାଇଁ ଦିନ ୧୦ଟାରୁ ଅପରାହ୍ଣ ୪ଟା ଭିତରେ ୦୬୬୧–୨୫୧୦୦୩୬ ନମ୍ବରରେ ହିତାଧିକାରୀ ବା ତାଙ୍କ ପରିବାର ଲୋକେ କଲ୍ କରିପାରିବେ। ଲୋକଙ୍କଠାରୁ କଲ୍ ପାଇବା ପରେ ରାଉରକେଲା ମହାନଗର ନିଗମର ଟେଲି ମେଡିସିନ ଟିମ୍ ତାହାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ କେଉଁଦିନ ଟିକା ଦିଆଯିବ ତାହାର ବ୍ୟବସ୍ଥା କରୁଛନ୍ତି । ଟିକାଦାନ ପୂର୍ବରୁ ହିତାଧିକାରୀ ବା ତାଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇ ଦିଆଯାଉଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More